ପୁଲିସ ମହାନିର୍ଦ୍ଦେଶକ ଅଭୟଙ୍କ ମାଲକାନଗିରି ଗସ୍ତ: କରୋନା ସଂକ୍ରମିତ ମାଓବାଦୀଙ୍କୁ ଆତ୍ମସମର୍ପଣ ପାଇଁ ଦେଲେ ଆହ୍ୱାନ

ମାଲକାନଗିରି,ଏନ୍ଏନ୍ଏସ୍: ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରି ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି। ସେ ପ୍ରଥମେ ଏମଭି-୮୮ ଗ୍ରାମଠାରେ ନୂତନ ପୁଲିସ ଫାଣ୍ଡି ଉଦଘାଟନ କରିବା ସହ ସେଠାକାର ବିଏସଏଫ କ୍ୟାମ୍ପ, ମୋଟୁସ୍ଥିତ ସ୍ୱତନ୍ତ୍ର ସଶସ୍ତ୍ର ବାଟାଲିୟନ କ୍ୟାମ୍ପ (ଏସଏସ ବାଟାଲିୟନ) ଏବଂ ଥାନା ପରିଦର୍ଶନ କରି ବରିଷ୍ଠ ଅଧିକାରୀଙ୍କ ସହ ମାଓ ଗତିବିଧି ଓ ମାଓ ଦମନ ଉପରେ ଆଲୋଚନା କରିଥିଲେ। ପରେ ଓଡ଼ିଶାର ଶେଷ ସୀମା ମୁଗି ପଏଣ୍ଟ ଓ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ମୋଟୁସ୍ଥିତ ସୀମାନ୍ତ ଯାଞ୍ଚ ପଏଣ୍ଟ ଗସ୍ତ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରବାସୀଙ୍କ ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସହ ପୁଲିସର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ। ଏହାସହ କାଲିମେଳା ବିଡିଓ ଉମାଶଙ୍କର ଦଳାଇ ଓ ମୋଟୁ ତହସିଲଦାର ଶଶାଙ୍କ ମିଶ୍ରଙ୍କ ସହ ପ୍ରବାସୀଙ୍କ ସୁବିଧା ପାଇଁ କି କି ବ୍ୟବସ୍ଥା କରାଯାଇଛି ସେସମ୍ପର୍କରେ ପଚାରି ବୁଝିଥିଲେ।

ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଗତ ୨ ବର୍ଷ ମଧ୍ୟରେ ମାଓ ଦମନ ନେଇ ପୁଲିସର କାର୍ଯ୍ୟ ପ୍ରଣାଳୀକୁ ପ୍ରଶଂସା କରିଥିଲେ। ଏହାସହ ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି ବୋଲି ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରକାଶ କରିଛନ୍ତି। ରାଜ୍ୟ ସରକାରଙ୍କ ଆତ୍ମ ସମର୍ପଣ ଓ ଥଇଥାନ ନୀତି ଅନ୍ତର୍ଗତ ମାଓବାଦୀଙ୍କୁ ଆତ୍ମସମର୍ପଣ କରିବାକୁ ଆହ୍ୱାନ ଦିଆଯାଇଛି। କିଛି ମାଓବାଦୀମାନେ କରୋନା ଆକ୍ରାନ୍ତ ହୋଇଥିବା ସୂଚନା ଆସିଥିବାବେଳେ ଯଦି କେହି ସଂକ୍ରମିତ ହୋଇଛନ୍ତି ସେମାନେ ଆସି ଆତ୍ମସମର୍ପଣ କରନ୍ତୁ। ସେମାନଙ୍କୁ ଭଲ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ। ଗତବର୍ଷ ମୋଟୁ ସୀମାନ୍ତ ଯାଞ୍ଚ ପଏଣ୍ଟ ପ୍ରବେଶ ପଥ ଦେଇ ଦେଶର ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳରୁ ସବୁଠୁ ଅଧିକ ପ୍ରବାସୀ ଆସିଥିଲେ। ଚଳିତ ବର୍ଷ ଗତବର୍ଷ ତୁଳନାରେ ପ୍ରବାସୀଙ୍କ ସଂଖ୍ୟା ହ୍ରାସ ପାଇଛି। କିନ୍ତୁ ଗତବର୍ଷର ଅଭିଜ୍ଞତାରୁ ଚଳିତଥର ଆମେ ବ୍ୟବସ୍ଥାକୁ ଉନ୍ନତ କରିଛୁ। ତେଣୁ ଗତବର୍ଷ ଅପେକ୍ଷା ମାଲକାନଗିରିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ କମ ରହିଥିବାବେଳେ ଚଳିତ ବର୍ଷ ରାଜ୍ୟ ତୁଳନାରେ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମ୍ ରହିଛି ବୋଲି ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ପ୍ରକାଶ କରିଛନ୍ତି। ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ମାଲକାନଗିରି ଏସପିଙ୍କୁ ସାଧୁବାଦ ଜଣାଇବା ସହ ମାଓ ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଏସଏଫକୁ ପ୍ରଶଂସା କରିଛନ୍ତି। ବିଏସଏଫ ଯବାନମାନେ ମାଲକାନଗିରି ଜିଲ୍ଲା ସମେତ ସାରା ରାଜ୍ୟରେ ବହୁତ ଭଲ କାମ କରୁଛନ୍ତି। ସେମାନଙ୍କ ସହଯୋଗ ବଳରେ ଓଡ଼ିଶା ପୁଲିସ ମାଓ ସମସ୍ୟାକୁ ସୀମିତ କରିପାରିଛି। ତେଣୁ ବିଏସଏଫକୁ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ବିଶେଷ ଧନ୍ୟବାଦ ଜଣାଇଛନ୍ତି। ତାଙ୍କ ଗସ୍ତ ସମୟରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଆରକେ.ଶର୍ମା, ଆଇଜି ଏସ.ପ୍ରବୀଣ କୁମାର, ଆରକ୍ଷୀ ଅଧୀକ୍ଷକ ଋିିଷିକେଶ ଡି. ଖିଲାରୀଙ୍କ ସହ ବରିଷ୍ଠ ପୁଲିସ ଅଧିକାରୀ ଓ ବିଏସଏଫର ଅଧିକାରୀ ଉପସ୍ଥିତ ଥିଲେ।