ପୁଲିସ ଗୁଳିରେ ୫ ମାଓବାଦୀ ନିହତ ପରେ ଦାରିଙ୍ଗବାଡ଼ି ଜଙ୍ଗଲରେ କୁମ୍ବିଂ ଅପରେସନ ଜାରି ଜିଲ୍ଲା By Nitidin On Jul 9, 2020 Share ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ପୁଲିସ ଗୁଳିରେ ଗତ ୩ ଦିନ ମଧ୍ୟରେ ୨ ଥର ଏନକାଉଣ୍ଟର ହୋଇ ୫ ହାର୍ଡକୋର ମାଓବାଦୀ ନିହତ ହୋଇଛନ୍ତି। ସେହିପରି ପୁଲିସ ଗୁଳିରେ ଅନେକ ମାଓବାଦୀ ଆହତ ହୋଇ ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ପଳାଇଥିବା ଜିଲ୍ଲା ପୁଲିସ ପ୍ରଶାସନ ତରଫରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା। ଆହତ ମାଓବାଦୀଙ୍କୁ ଟାର୍ଗେଟ କରି ସେମାନଙ୍କୁ କାବୁ କରିବା ପାଇଁ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲା ସୀମାଗୁଡ଼ିକୁ ସିଲ କରାଯିବା ସହ ଜିଲ୍ଲା ଭିତରେ ବିଭିନ୍ନ ଥାନା ଅଞ୍ଚଳରେ ପୁଲିସ ତରଫରୁ ବ୍ୟାପକ ଖାନତଲାସୀ କରାଯାଉଛି। ଏହି ପରିପ୍ରେକ୍ଷୀରେ ଦାରିଙ୍ଗବାଡ଼ି ଥାନା ପୁଲିସ ତରଫରୁ ମଧ୍ୟ ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରାଯାଇ ଯାନବାହନ ଯାଞ୍ଚ କଡ଼ାକଡ଼ି କରାଯାଉଛି। ଆହତ ମାଓବାଦୀମାନେ ସିର୍ଲା ଜଙ୍ଗଲ ମଧ୍ୟ ଦେଇ ଦାରିଙ୍ଗବାଡ଼ି ଓ ବାଲିଗୁଡା ଥାନା ସୀମାବର୍ତ୍ତୀ ଘଞ୍ଚ ଜଙ୍ଗଲ ଭିତରେ ଲୁଚି ରହିଥିବା ପୁଲିସ ଅନୁମାନ କରୁଛି। ଆହତ ଅବସ୍ଥାରେ ଥିବାରୁ ମାଓବାଦୀମାନେ ଯେ କୌଣସି ଉପାୟ ଅବଲମ୍ବନ କରି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିବାକୁ ଚେଷ୍ଟା କରିବେ। ତେଣୁ ଜିଲ୍ଲା ପୁଲିସ ପ୍ରଶାସନ ଏଥିପାଇଁ ସଜାଗ ହୋଇ ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କଡ଼ା ପଇଁତରା ମାରୁଥିବା ଦେଖିବାକୁ ମିଳିଛି। ମାଓବାଦୀମାନେ ଲୁଚି ରହିଥିବା ଆଶଙ୍କାରେ କିଛି ଅଞ୍ଚଳରେ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇ କୁମ୍ବିଂ ଅପରେସନ ଜାରି ରହିଛି। Share