ନିୟମଗିରି ସୁରକ୍ଷା ସମିତିର କର୍ମୀଙ୍କୁ ମିଥ୍ୟା ମାମଲାରେ ପୁଲିସ ଗରିଫ କରିବା ପ୍ରତିବାଦରେ ବିକ୍ଷୋଭ

ରାୟଗଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ାରେ ନିୟମଗିରି ସୁରକ୍ଷା ସମିତିର କର୍ମୀଙ୍କୁ ମିଥ୍ୟା ମାମଲାରେ ଗିରଫକୁ ପ୍ରତିବାଦ କରି ନିୟମଗିରି ସୁରକ୍ଷା ସମିତିର ନେତୃ ମଣ୍ଡଳୀ, ମହିଳା ଓ ପୁରୁଷ ସଦସ୍ୟମାନେ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ନିୟମଗିରି ସୁରକ୍ଷା ସମିତିର ଶତାଧିକ ମହିଳା ଓ ପୁରୁଷ କର୍ମୀ ଏବଂ ବିଭିନ୍ନ ସଂଗଠନର ସଦସ୍ୟମାନେ ମୁନିଖୋଲରୁ ଏକ ଶୋଭାଯାତ୍ରାରେ ବାହାରି ପୁଲିସ ବିରୋଧରେ ନାରାବାଜି ଦେବାସହ ସହର ପରିକ୍ରମା କରି ଥାନା ଗେଟ ସମ୍ମୁଖରେ ପହଞ୍ଚିଥିଲେ । ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନିୟମଗିରି ଅଞ୍ଚଳରେ ବସବାସ କରୁଥିବା ଡଙ୍ଗରିଆ ଆଦିବାସୀଙ୍କ ଉପରେ ପୁଲିସ ବିଭିନ୍ନ ସମୟରେ ଜୁଲୁମ ଦେଖାଇ ମିଥ୍ୟା ମାଓବାଦୀ ମାମଲାରେ ଉଠାଇ ନେଉଛି । ଗତ ୩ଦିନ ତଳେ ନିୟମଗିରି ସୁରକ୍ଷା ସମିତିର କର୍ମୀ ତଥା ମୁନିଗୁଡ଼ା ଥାନା ଅନ୍ତର୍ଗତ ମୁନିଖୋଲ ଗ୍ରାମ ପଞ୍ଚାୟତର ଡେଙ୍ଗୁଣୀ ଗ୍ରାମର ବୋଲି କରକରିଆଙ୍କୁ ପୁଲିସ ଜୋର ଜବରଦସ୍ତ ଉଠାଇ ନେଇଥିବାବେଳେ ଏନେଇ ନିୟମଗିରି ସୁରକ୍ଷା ସମିତି ତରଫରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ମୁନିଗୁଡ଼ା ଏସଡିପିଓ ଓ ଥାନାଧିକାରୀ ସମସ୍ତଙ୍କୁ ପଚାରିବା ପରେ ସେମାନେ ଏବିଷୟରେ କିଛି ଜାଣି ନଥିବା କହିଥିଲେ । ପୁଲିସ କାହିଁକି ବୋଲିକୁ ଉଠାଇ ନେଇଛି ସେସମ୍ପର୍କରେ ଯଦି ସୂଚନା ନଦିଏ ତା’ହେଲେ ଆଗାମୀ ଦିନରେ ନିୟମଗିରି ସୁରକ୍ଷା ସମିତି ସହ ବିଭିନ୍ନ ସଂଗଠନ ପକ୍ଷରୁ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆବାହକ ଲିଙ୍ଗରାଜ ଆଜାଦ ଓ ଉପସଭାପତି ଦଧି ପୁଷିକାଙ୍କ ମିଳିତ ନେତୃତ୍ୱରେ ସଂଗଠକ ଉପେନ୍ଦ୍ର ଡ୍ରାଭିଡ, କର୍ମୀ ଦାସୁରୁ କାଡ୍ରାକା, ସାଇବୁ ପୁଷିକା, କଳାହାଣ୍ଡି ଜିଲ୍ଲା ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସମ୍ପାଦକ ବ୍ରିଟିଶ କୁମାର ଓ ଏଆଇକେଏମଏସର ବ୍ଲକ ସଭାପତି କନିନ୍ଦ୍ର ଜାଲିକା ପ୍ରମୁଖଙ୍କ ସମେତ ଶତାଧିକ ସଦସ୍ୟ ଓ କର୍ମୀମାନେ ଚେତାବନୀ ଦେଇଛନ୍ତି ।