ପାଟଣାଗଡ଼,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳରେ ମାଓବାଦୀଙ୍କ ସହିଦ ସପ୍ତାହକୁ ନେଇ ପୁଲିସ ବେଶ୍ ସର୍ତକ ଥିବା ଦେଖାଦେଇଛି। ଖପ୍ରାଖୋଲ ସିଆରପିଏଫ ୧୮୯ ବାଟାଲିୟନ ଗାଡ଼ିମୋଟର ଯାଞ୍ଚକୁ କଡ଼ାକଡ଼ି କରୁଥିବା ଦେଖିବାକୁ ମିଳିଛି। ସନ୍ଧାନି କୁକୁର ସହ ଗାଡ଼ି ଡିକିକୁ ମଧ୍ୟ ଯାଞ୍ଚ କରାଯାଉ ଥିବାବେଳେ ଖପ୍ରାଖୋଲ-ହରିଶଙ୍କର ରାସ୍ତାରେ ଯା’ଆସ କରୁଥିବା ସମସ୍ତଙ୍କ ଉପରେ କଡ଼ା ନଜର ରଖାଯାଇଛି। ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡେଣ୍ଟ ଲଖ ବିନ୍ଦର ସିଂଙ୍କ ନିର୍ଦ୍ଦେଶରେ ଇନ୍ସପେକ୍ଟର ପିଲିଂ ସନଙ୍କ ନେତୃତ୍ୱରେ ଯାଞ୍ଚ କରାଯାଉଛି। ଗତ ୨୭ ତାରିଖ ଜୁନାନିବାହାଲ ଗ୍ରାମରେ ହୋଇଥିବା ମାଓବାଦୀ ଓ ପୁଲିସ, ସିଆରପିଏଫଙ୍କ ମୁହାଁମୁହିଁରେ ଜଣେ କ୍ୟାଡର ମାଓବାଦୀର ମୃତ୍ୟୁ ହୋଇଥିଲା। ବର୍ତ୍ତମାନ ମାଓପ୍ରବଣ ଅଞ୍ଚଳରେ ସହିଦ ସପ୍ତାହ ଚାଲୁଥିବାରୁ ସିଆରପିଏଫ ଓ ପୁଲିସ ତରଫରୁ କମ୍ବିଂ ଅପରେସନ ଜୋରଦାର କରାଯାଇଥିବାବେଳେ ଯାଞ୍ଚ ମଧ୍ୟ କଡ଼ାକଡ଼ି ହେଉଛି।