ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ, ରୋମାଞ୍ଚକର ମ୍ୟାଚରେ ୪ ଓ୍ଵିକେଟରେ ଜିତିଲା ମୁମ୍ବାଇ

ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୭ତମ ମ୍ୟାଚର ରୋମାଞ୍ଚକର ପରିସମାପ୍ତି ଘଟିଛି। ମୁମ୍ବାଇ ଚେନ୍ନାଇକୁ ୪ ଓ୍ବିକେଟରେ ପରାସ୍ତ କରିଛି। ଶେଷ ଓଭରରେ ୧୬ ରନ ଦରକାର ହେଉଥିବାବେଳେ କାଇରନ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ମୁମ୍ବାଇ ବିଜୟୀ ହୋଇପାରିଛି। ପୋଲାର୍ଡ ମାତ୍ର ୩୪ ବଲରେ ୮୭ ରନ କରି ଚେନ୍ନାଇ ହାତରୁ ବିଜୟ ଛଡ଼ାଇନେଇଥିଲେ।

ମୁମ୍ବାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଚେନ୍ନାଇ ସୁପରକିଙ୍ଗସ ଆରମ୍ଭରୁ ଋତୁରାଜ ଗାଇକ୍ବାଡଙ୍କ ଓ୍ଵିକେଟ ହରାଇଥିଲେ ମଧ୍ୟ ଫାଫ ଡୁ ପ୍ଲେସିସ ଓ ମୋଇନ ଅଲ୍ଲି ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ। ଡୁ ପ୍ଲେସିସ ୫୦ ଓ ମୋଇନ ୫୮ ରନ କରିଥିଲେ। ତେବେ ଚେନ୍ନାଇ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ସ୍ଲଗ ଓଭରରେ ଅମ୍ବାତି ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ। ସେ ମାତ୍ର ୨୬ଟି ବଲ ଖେଳି ୭ ଛକା ୩ ଚୌକା ସହ ୬୮ ରନ କରିଥିଲେ। ରବୀନ୍ଦ୍ର ଜାଡେଜା ୨୨ଟି ବଲରୁ ୨୨ ରନ କରିଥିଲେ। ଫଳରେ ଚେନ୍ନାଇ ୨୦ ଓଭରରେ ୨୧୮ ରନ କରିଥିଲା।

ଏହାପରେ ମୁମ୍ବାଇ ୨୧୯ ରନର ପିଛା କରିଥିଲା। ମୁମ୍ବାଇ ପକ୍ଷରୁ କ୍ୱିଣ୍ଟନ୍ ଡିକକ୍ ୩୮ ରନ୍ ଓ ରୋହିତ ୩୫ ରନ କରି ଏକ ଦୃଢ ଓପନିଂ ଦେଇଥିଲେ। ତେବେ ସୂର୍ଯ୍ୟକୁମାର ଯାଦବ ମାତ୍ର ୩ ରନ କରି ଆଉଟ୍ ହୋଇଥିଲେ। ଏହାପରେ କ୍ରିଜକୁ ଆସିଥିଲେ କାଇରନ ପୋଲାର୍ଡ। ସେ ବିଜୟର ମୂଳଦୁଆ ପକାଇ ୩୪ ବଲରେ ୮୭ ରନ କରିଥିଲେ। ତେବେ ଖେଳ ଶେଷ ବଲ ଯାଏଁ ଯାଇଥିଲା। ଶେଷ ବଲରେ ମ୍ୟାଚ୍ ଜିତିଥିଲା ମୁମ୍ବାଇ।