ନୂଆଦିଲ୍ଲୀ: ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦର ଶୀତ ଅଧିବେସନରେ ଉପସ୍ଥିତ ରହୁନଥିବା ସାଂସଦଙ୍କୁ ତାଗିଦ କରିଛନ୍ତି। ମୋଦୀ କହିଛନ୍ତି ଯେ, କିଛି ବିଲ୍ ପାରିତ ହେଉ କି ନହେଉ ସମସ୍ତ ସାଂସଦ ସଦନରେ ଉପସ୍ଥିତ ରହିବା ଉଚିତ। ସାଂସଦ ନିଜ ଭିତରେ ପରିବର୍ତ୍ତନ ଆଣନ୍ତୁ ନଚେତ୍ ଆପେ ଆପେ ପରିବର୍ତ୍ତନ ହୋଇଯିବ। ଦୟାକରି ସଂସଦ ଓ ବୈଠକରେ ନିୟମିତ ରୂପେ ଉପସ୍ଥିତ ରୁହନ୍ତୁ। ପିଲାଙ୍କ ଭଳି ଲଗାତାର ଭାବେ ଏହା ଉପରେ ଜୋର ଦେବା ମୋ ପାଇଁ ଠିକ୍ ନୁହେଁ। ଆପଣ ନିଜକୁ ନ ବଦଳାଇଲେ ଆଗାମୀ ଦିନରେ ପରିବର୍ତ୍ତନ ହେବ।
ସୂଚନାଯୋଗ୍ୟ, ସଂସଦର ଶୀତ ଅଧିବେସନରେ ବିରୋଧୀ ଏକଜୁଟତା ଦେଖାଇ ସରକାରଙ୍କୁ ଟାର୍ଗେଟ କରୁଥିବାରୁ ମୋଦୀ ତାଙ୍କ ଦଳୀୟ ନେତାଙ୍କୁ ତାଗିଦ କରିଛନ୍ତି। ନାଗାଲାଣ୍ଡ ଫାୟରିଂ ଓ ସାଂସଦଙ୍କ ନିଲମ୍ବନ ସହିତ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିଛନ୍ତି। ଏହାପୂର୍ବରୁ ସଂସଦର ମୌସୁମୀ ଅଧିବେସନ ସମୟରେ ରାଜ୍ୟସଭାରେ ସାଂସଦ ଅନୁପସ୍ଥିତ ରହିବାକୁ ନେଇ ମୋଦୀ ଅସନ୍ତୋଷ ବ୍ୟକ୍ତ କରିଥିଲେ।