ନୂଆଦିଲ୍ଲୀ,ଏଜେନ୍ସି: ଭାରତ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରମ ଆୱାର୍ଡରେ ସ୍ଥାନ ପାଇଥିବା ବ୍ୟକ୍ତିଙ୍କ ତଥ୍ୟ ପ୍ରକାଶ ପାଇଛି। ସମୁଦାୟ ୬୯ ଜଣ ବ୍ୟକ୍ତି ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ, ପବ୍ଲିକ୍ କମ୍ପାନୀ ଏବଂ ରାଜ୍ୟ ସରକାର ଓ ବେସରକାରୀ ଅନୁଷ୍ଠାନରେ କାମ କରୁଥିବା ୫୦୦ ବ୍ୟକ୍ତିଙ୍କ ନାମକୁ ସୁପାରିଶ୍ କରାଯାଇଥିଲା। ସେମାନଙ୍କର ଦକ୍ଷତା, କାର୍ଯ୍ୟ ଶୈଳୀକୁ ବିଚାରକୁ ନିଆଯାଇ ଏହି ତଥ୍ୟ ପ୍ରକାଶ କରାଯାଇଛି।
ଏହା ତିନୋଟି କ୍ୟାଟେଗୋରୀରେ ମିଳିବ। ଶ୍ରମ ଭୂଷଣ ଯେଉଁଥିରେ ୧ ଲକ୍ଷ ଟଙ୍କା ପୁରସ୍କାର ରହିଛି। ଶ୍ରମ ବୀର ପାଇଁ ୬୦ ହଜାର ଏବଂ ଶ୍ରମ ଶ୍ରୀ ପାଇଁ ୪୦ ହଜାର ଟଙ୍କା ପ୍ରଦାନ କରାଯିବ। ୨୦୧୮ ମସିହା ପାଇଁ ଶ୍ରମ ଭୂଷଣରେ ୪ ଜଣଙ୍କୁ ମନୋନୀତ କରାଯାଇଥିବା ବେଳେ ଶ୍ରମବୀର ପାଇଁ ୧୨ ଜଣ ଏବଂ ଶ୍ରମ ଶ୍ରୀ ପାଇଁ ୧୭ ଜଣଙ୍କୁ ଏହି ପୁରସ୍କାର ମିଳିବ। ସମୁଦାୟ ୩୩ ଜଣ ଆୱାର୍ଡ ପାଉଥିବା ବେଳେ ବଳକା ଟିମ୍ ବା ଅନୁଷ୍ଠାନରେ କାମ କରୁଥିବା ଜଣେରୁ ଅଧିକ ବ୍ୟକ୍ତିଙ୍କୁ ମିଳିବ ବୋଲି ଜଣାପଡ଼ିଛି।
ଓଡ଼ିଶାରୁ ମୋଟ ୧୫ ଜଣ ଏହି ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ବେଳେ ୬ ଜଣ କେବଳ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ର କର୍ମଚାରୀ ହୋଇଥିବା ଜଣାପଡ଼ିଛି। ୬ ଜଣ ଶ୍ରମ ଭୂଷଣ ପାଇବାକୁ ଥିବା ବେଳେ ୬ ଜଣ ଶ୍ରମବୀର ଏବଂ ୩ ଜଣଙ୍କୁ ଶ୍ରମ ଶ୍ରୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି।