‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ସାବରମତୀ ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ୨୪୧ କିଲୋମିଟର ଲମ୍ବା ପଦଯାତ୍ରାକୁ ସବୁଜ ପତାକା ଦେଖାଇବେ। ଏଥି ସହିତ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ଅହମ୍ମଦାବାଦରେ ଆଜିଠାରୁ ‘ଆଜାଦି କା ଅମୃତ ମହୋତ୍ସବ’ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ଏହାକୁ ପ୍ରଧାନମନ୍ତ୍ରୀ ମୋଦୀ ଉଦଘାଟନ କରିବେ। ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ଅନୁସାରେ ଏହି ଉତ୍ସବ ରୂପରେ ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ୭୫ ସପ୍ତାହର ଏକ କାର୍ଯ୍ୟକ୍ରମ ଶୃଙ୍ଖଳା ଆୟୋଜନ କରାଯାଇଛି। ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ୧୫ ଅଗଷ୍ଟ ୨୦୨୨ ପର୍ଯ୍ୟନ୍ତ ଚାଲିବ।

ତେବେ ସାବରମତୀ ଆଶ୍ରମରୁ ଦାଣ୍ଡି ପର୍ଯ୍ୟନ୍ତ ହେବାକୁ ଥିବା ୨୪୧ କିଲୋମିଟର ପଦଯାତ୍ରା ୨୫ ଦିନ ଚାଲିବ। ଏହି ପଦଯାତ୍ରାରେ ୮୧ ଜଣ ସାମିଲ ହେବେ। ଆଜି ଦିନରେ ଭାରତ ଇତିହାସର ବହୁ ଚର୍ଚ୍ଚିତ ଲବଣ ସତ୍ୟାଗ୍ରହ ନାମରେ ଦାଣ୍ଡି ଯାତ୍ରା ଆରମ୍ଭ ହୋଇଥିବା ବେଳେ ଏହାକୁ ୯୧ ବର୍ଷ ପୂରିଛି। ଦାଣ୍ଡି ଯାତ୍ରା ୧୯୩୦ ମସିହା ମାର୍ଚ୍ଚ ୧୨ ତାରିଖରେ ଆରମ୍ଭ ହୋଇଥିଲା। ଏହି ପଦଯାତ୍ରାର ପ୍ରଥମ ୭୫ କିଲୋମିଟର ରାସ୍ତା ପର୍ଯ୍ୟନ୍ତ ପ୍ରହଲ୍ଲାଦ ସିଂ ପଟେଲ ନେତୃତ୍ୱ କରିବେ।