ରାଜ୍ୟରେ ୨ ଗୁଣା ବୃଦ୍ଧି ପାଇଛି ବନାଗ୍ନି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟାରେ ବନାଗ୍ନି ପଏଣ୍ଟ ୨ ଗୁଣା ବୃଦ୍ଧି ପାଇଥିବା ନେଇ ଜଙ୍ଗଲ ଟାସ୍କ ଫୋର୍ସ ଅଧ୍ୟକ୍ଷ ସନ୍ଦିପ ତ୍ରିପାଠୀ ସୂଚନା ଦେଇଛନ୍ତି। ରାଜ୍ୟର ଜଙ୍ଗଲ ନିଆଁ ସ୍ଥିତି ନେଇ ବନ ସର୍ବେକ୍ଷଣ ସଂସ୍ଥା ଏଫସିଆଇର ତଥ୍ୟ ଅନୁସାରେ ଏହି ସୂଚନା ଦେଇଛି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ। ଗତକାଲି ସୁଦ୍ଧା ରାଜ୍ୟର ବିଭିନ୍ନ ଜଙ୍ଗଲର ୪୯୭ଟି ପଏଣ୍ଟରେ ନିଆଁ ଲାଗିଥିଲା। ସାଟେଲାଇଟରେ ଏହି ପଏଣ୍ଟ ସଂଖ୍ୟା ବଢ଼ି ୧୦୪୮ରେ ପହଞ୍ଚିଛି।

ଶିମିଳିପାଳ ନିଆଁ ଧୀରେ ଧୀରେ ଆୟତ୍ତକୁ ଆସୁଛି। ଏହା ପୂର୍ବରୁ ୨ ଦିନରେ ଶିମିଳିପାଳରେ ୨୬ଟି ଜାଗାରେ ନିଆଁ ଲାଗିଥିବା ଜଣାପଡ଼ିଥିଲା। ଗତକାଲି କେବଳ ୫ଟି ପଏଣ୍ଟରେ ରିପୋର୍ଟ ହୋଇଥିଲା। ଶିମିଳିପାଳର କିଛି ଅଞ୍ଚଳରେ ୨ ଦିନ ଧରି ବର୍ଷା ହୋଇଥିବାରୁ ନିଆଁ ଲିଭିଥିବା ଅନୁମାନ କରାଯାଉଛି। ସେହିପରି ଆଗାମୀ ୩ ଦିନ ଧରି ଉକ୍ତ ଅଞ୍ଚଳରେ ଜାତୀୟ ପାଣିପାଗ ବିଭାଗ ବର୍ଷାର ଅନୁମାନ କରିଛି।