ଜୋ ବାଇଡେନ ଓ କମଳା ହାରିସଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ମ୍ୟାଜିକ୍ ନମ୍ବରକୁ ଅତିକ୍ରମ କରି ଜୋ ବାଇଡେନ ନୂତନ ରାଷ୍ଟ୍ରପତି ହୋଇଥିବା ବେଳେ ତାଙ୍କୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି। ଆଗାମୀ ଦିନରେ ଆମେରିକାର ନୂତନ ରାଷ୍ଟ୍ରପତିଙ୍କ ସହିତ କାର୍ଯ୍ୟ କରି ଭାରତ-ଆମେରିକାର ସଂପର୍କକୁ ଆହୁରି ଉଚ୍ଚ ସ୍ତରକୁ ନେଇଯିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆଶା ରଖିଛନ୍ତି। ଏଥି ସହିତ ମୋଦୀ ଭାରତ ବଂଶୋଦ୍ଭବ କମଳା ହାରିସଙ୍କୁ ମଧ୍ୟ ଆମେରିକାର ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବାରୁ ଶୁଭକାମନା ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୋ ବାଇଡେନଙ୍କୁ ଆମେରିକାର ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ଶୁଭକାମନା ଜଣାଇ ଟୁଇଟରେ ଲେଖିଛନ୍ତି, ଆପଣଙ୍କର ବିପୁଳ ବିଜୟ ଲାଗି ଶୁଭେଚ୍ଛା ଜଣାଉଛି। ଉପରାଷ୍ଟ୍ରପତି ଭାବେ କାର୍ଯ୍ୟ କରି ଭାରତ-ଆମେରିକା ସଂପର୍କକୁ ମଜଭୁତ କରିବାରେ ଆପଣଙ୍କର ଅବଦାନ ଗୁରୁତ୍ୱପୂର୍ଣ୍ଣ ଓ ଅମୂଲ୍ୟ ଥିଲା। ଆମେରିକୀୟ ସମ୍ପର୍କକୁ ଅଧିକରୁ ଅଧିକ ଉଚ୍ଚସ୍ତରକୁ ନେଇଯିବାରେ ପୁଣି ଥରେ ଏକ ହୋଇ କାମ କରିବାକୁ ଆଶା କରୁଛି।

ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ଉପରାଷ୍ଟ୍ରପତି ଚୟନ ହୋଇଥିବା ଭାରତୀୟ ବଂଶେଦ୍ଭବ କମଳା ହାରିସଙ୍କୁ ଶୁଭକାମନା ଜଣାଇ ଲେଖିଛନ୍ତି ଯେ, ଶୁଭକାମନା କମଳା ହାରିସ, ଆପଣଙ୍କ ବିଜୟ ସମସ୍ତ ଭାରତୀୟ-ଆମେରିକୀୟଙ୍କ ଲାଗି ଗର୍ବର କଥା। ମୋର ବିଶ୍ୱାସ ଯେ, ଆପଣଙ୍କ ସମର୍ଥନ ଓ ନେତୃତ୍ୱରେ ଭାରତ-ଆମେରିକାର ସମ୍ପର୍କ ଆହୁରି ଶକ୍ତିଶାଳୀ ହେବ।