ଜାତିସଂଘରୁ ପୂରା ବିଶ୍ୱକୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ; ଭାରତକୁ ବିଶ୍ୱର ସର୍ବବୃହତ୍ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ କରିବାର ଲକ୍ଷ୍ୟ ରହିଛି

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଅଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ଆଜି ଦ୍ୱିତୀୟ ଦିନ ହୋଇଥିବା ବେଳେ ୭୬ତମ ଜାତିସଂଘର ସାଧାରଣ ସମ୍ମିଳନୀକୁ ସମ୍ବୋଧନ କରିଛନ୍ତି ମୋଦୀ। ଗତ ଦେଢ ବର୍ଷ ହେଲା ପୂରା ବିଶ୍ୱ କରୋନା ମହାମାରୀ ସହିତ ଲଢେଇ କରୁଥିବା ବେଳେ ପୁରା ବିଶ୍ୱର କରୋନା ମୃତକଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।

ଏହି ସମ୍ମିଳନୀରେ ଯେତେବେଳେ ଭାରତର ବିକାଶ ହେଉଛି ସେତେବେଳେ ବିଶ୍ୱ ବଦଳୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିବିଧତା ହେଉଛି ଭାରତର ସ୍ୱତନ୍ତ୍ର ଲୋକତନ୍ତ୍ରର ପରିଚୟ ଏବଂ ଲୋକତନ୍ତ୍ରର ଜନନୀ ଭାରତର ମୁଁ ପ୍ରତିନିଧିତ୍ୱ କରୁଛି ବୋଲି ମୋଦି କହିଛନ୍ତି। ଏହାସହିତ କରୋନା କାଳରେ ଭାରତ ସ୍ୱଦେଶୀ ଭ୍ୟାକ୍ସିନ ତିଆରି କରିବା ସହିତ ପଡୋଶୀ ଦେଶ ମାନଙ୍କୁ ଟିକା ସହାୟତା କରି ପୂରା ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି। ଆଗାମୀ ଦିନରେ ଭାରତ ଭ୍ୟାକ୍ସିନ୍ ପ୍ରସ୍ତୁତି କ୍ରମାଗତ ବୃଦ୍ଧି କରିବାକୁ ଯାଉଛି ବୋଲି ମୋଦି କହିଛନ୍ତି। ଭାରତରେ ପ୍ରଥମ ଡିଏନଏ ଭ୍ୟାକ୍ସିନ୍ ତିଆରି ହୋଇ ସାରିଥିବା ବେଳେ ବିଶ୍ୱର ଟିକା ପ୍ରସ୍ତୁତକାରୀ କମ୍ପାନୀ ମାନଙ୍କ ଭାରତରେ ଟିକା ପ୍ରସ୍ତୁତ କରିବା ପାଇଁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ।

ଭାରତକୁ ବିଶ୍ୱର ସର୍ବବୃହତ୍ ଗ୍ରୀନ୍ ହାଇଡ୍ରୋଜେନ୍ ହବ୍ କରିବାର ଲକ୍ଷ୍ୟ ରହିଛି ଯାହା ଭବିଷ୍ୟତରେ ପୁରା ବିଶ୍ୱକୁ ଏକ ନୂଆ ଦିଶା ଦେବାକୁ ଯାଉଛି ବୋଲି ମୋଦି କହିଛନ୍ତି। ଏହି ଅବସରରେ ଆତଙ୍କବାଦ ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଟାର୍ଗେଟ୍‌ କରିଛନ୍ତି ମୋଦୀ। ନାଁ ନନେଇ ପାକିସ୍ତାନ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ। ମୋଦୀ କହିଛନ୍ତି, ‘ଦୁନିଆରେ ଚରମପନ୍ଥୀମାନଙ୍କ ବିପଦ ବୃଦ୍ଧିପାଇବାରେ ଲାଗିଛି। ଆଫଗାନିସ୍ତାନ ପ୍ରସଙ୍ଗରେ ସମସ୍ତଙ୍କୁ ଭାବିବାର ସମୟ ଆସିଛି। ସେଠାରେ ସଂଖ୍ୟାଲଘୁ ଜନସାଧାରଣଙ୍କ ସୁରକ୍ଷା ଜରୁରୀ। ଆତଙ୍କବାଦୀଙ୍କୁ ଏକ ଟୁଲ୍‌ ଭାବେ ବ୍ୟବହାର କରାଯାଉଛି। ଏଥିସହ ରାଜନୈତିକ ଅସ୍ତ୍ର ଭାବେ ମଧ୍ୟ ଆତଙ୍କବାଦକୁ ବ୍ୟବହାର କରାଯାଉଛି। କିଛି ଦେଶ ଏହା କରି ଫାଇଦା ନେବାକୁ ଚାହୁଁଛନ୍ତି। ଆଫଗାନିସ୍ତାନରେ ମହିଳା ଏବଂ ଶିଶୁଙ୍କୁ ସୁରକ୍ଷା ଦେବା ନିହାତି ଆବଶ୍ୟକ। ସମୁଦ୍ର ସୁରକ୍ଷା ଦିଗରେ ସଚେତନ ହେବା ଆବଶ୍ୟକ।’ ବର୍ତ୍ତମାନ ଧୀରେଧୀରେ ଆତଙ୍କବାଦ ବିରୋଧରେ ବିରୋଧାଭାଷ ଦେଖାଦେବା ଆରମ୍ଭ ହେଲାଣି ଯାହା ପରିବର୍ତ୍ତନର ଏକ ସୂଚକ ବୋଲି କୁହାଯାଇପାରେ।