୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ: ବିଜେପି କରୁଛି ୨୦ ଦିନିଆ ସେବା ସମର୍ପଣ ଅଭିଯାନ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ୭୧ ବର୍ଷରେ ପାଦ ଦେଲେ ନରେନ୍ଦ୍ର ମୋଦୀ। ଏହି ଅବସରରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିପାଇଁ ୨୦ ଦିନିଆ ରାଷ୍ଟ୍ରୀୟ ଅଭିଯାନର ଯୋଜନା ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହା ଆଜିଠାରୁ ଆରମ୍ଭ କରାଯିବ ଓ ଏହା ୭ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନକୁ ସେବା ଓ ସମର୍ପଣ ନାମ ଦିଆଯାଇଛି।

ଅଭିଯାନକୁ ୨୦ ଦିନିଆ ପାଳନ କରିବା ପଛରେ କାରଣ ହେଉଛି ଆଜିକୁ ଠିକ୍ ୨୦ ଦିନ ପରେ ଅର୍ଥାତ୍ ୭ ଅକ୍ଟୋବରକୁ ୨୦ ବର୍ଷ ପୂର୍ବେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେଣୁ ଏହି ଅଭିଯାନକୁ ବିଜେପି ୭ ଅକ୍ଟୋବର ପର୍ଯ୍ୟନ୍ତ ପାଳନ କରିବ। ଏଥିପାଇଁ ଏକ ସଂସଦୀୟ ସମିତି ଗଠନ କରାଯାଇଛି, ଯାହା ଦଳର କର୍ମୀମାନଙ୍କ ପାଇଁ କାର୍ଯ୍ୟକ୍ରମର ଆୟୋଜନ କରିବ। ଏହି ସମିତିର ନେତୃତ୍ୱ କୈଳାଶ ବିଜୟବର୍ଗୀୟ ନେଇଛନ୍ତି।

ଏଥିରେ ରକ୍ତଦାନ ଶିବିର, ମୋଦୀଙ୍କ ଜୀବନି ଉପରେ ପ୍ରଦର୍ଶନୀ ଆଦିର ଆୟୋଜନ କରାଯିବ। ଏହାସହ ଦଳର ସମସ୍ତ କାର୍ଯ୍ୟାଳୟରୁ ଲକ୍ଷ ଲକ୍ଷ ସଂଖ୍ୟାରେ ପୋଷ୍ଟକାର୍ଡ ମୋଦୀଙ୍କ ନିକଟକୁ ପଠାଯିବ। ସେହିଭଳି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ କଂଗ୍ରେସର ଯୁବ ବାହିନୀ ‘ଜାତୀୟ ବେକାରୀ ଦିବସ’ ପାଳନ କରିବ। ଭାରତୀୟ ଯୁବ କଂଗ୍ରେସ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ‘ଜାତୀୟ ବେକାରୀ ଦିବସ’ ଅଧୀନରେ ସାରା ଦେଶରେ ସଂଗଠନ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯିବ।