ରାଜ୍ୟରେ ଆଉ ୬୨୮ କୋଭିଡ୍ ପଜିଟିଭ୍ ମାମଲା ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଅଗଷ୍ଟ ପରେ ସେପ୍ଟେମ୍ବର ବି ଆଣିଦେଉଛି ଆଶ୍ୱସ୍ତିକର ଖବର। ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା। ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେଧୀରେ କମୁଛି। ଗତ ୨୪ ଘଣ୍ଟା ମଧ୍ୟରେ ୬୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ସଂକ୍ରମିତଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେଣ୍ଟାଇନରୁ ହୋଇଥିବା ବେଳେ ୨୬୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୯୬ ଜଣ ପଜିଟିଭ ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୨୨ ଜଣ, ବରଗଡ଼ରୁ ୭ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗିରରୁ ଜଣେ, କଟକରୁ ୭୨ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫ ଜଣ, ଗଜପତିରୁ ୨ ଜଣ, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୨୬ ଜଣ, ଯାଜପୁରରୁ ୧୯ ଜଣ, ଝାରସୁଗୁଡ଼ାରୁ ୩ ଜଣ, କେନ୍ଦ୍ରାପଡ଼ାରୁ ୯ ଜଣ, କେନ୍ଦୁଝରରୁ ୨ ଜଣ, ଖୋର୍ଦ୍ଧାରୁ ୨୯୧ ଜଣ, କୋରାପୁଟରୁ ୧୬ ଜଣ, ମୟୂରଭଞ୍ଜରୁ ୨୨ ଜଣ, ନୟାଗଡ଼ରୁ ୭ ଜଣ, ପୁରୀରୁ ୯ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ ଏବଂ ଷ୍ଟେଟପୁଲ୍‌ରୁ ୬୬ ଜଣ ରହିଛନ୍ତି।

ଏଥିସହିତ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ରେ ପହଞ୍ଚିଛି। ଏଥିରୁ ୫ ହଜାର ୯୦୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦ ଲକ୍ଷ ୪ ହଜାର ୮୪୫ଜଣ ସୁସ୍ଥ ହୋଇସାରିଛନ୍ତି।