ଡେନମାର୍କରୁ ପ୍ୟାରିସ ଅଭିମୁଖେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ

କୋପେନହଗେନ,ଏଜେନ୍ସି: ଡେନମାର୍କରେ କାର୍ଯ୍ୟକ୍ରମ ସାରି ପ୍ୟାରିସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଆଜି ଗସ୍ତର ଶେଷ ଦିନରେ ସେ ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କ ସହ ସାକ୍ଷାତ ଓ ଆଲୋଚନା କରିବେ। ଆଜି ସେ ଭାରତ ଫେରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଗତକାଲି ସେ ଡେନମାର୍କରେ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକସେନଙ୍କଙ୍କ ସହ ଏକଧିକ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଜି ସେ ପ୍ୟାରିସ ଅଭିମୁଖେ ବାହାରିବା ପୂର୍ବରୁ ୪ ୟୁରୋପୀୟ ରାଷ୍ଟ୍ର ଫିନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ନରଓ୍ବେ ଓ ସ୍ବିଡେନର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ।

ଡେନମାର୍କ ଗସ୍ତ ଭାରତ ଓ ପଡୋଶୀ ଦେଶମାନଙ୍କ ପାଇଁ ବେଶ ଫଳପ୍ରଦ ରହିଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ଆୟୋଜିତ କାର୍ଯ୍ୟକ୍ରମଗୁଡିକ କୂଟନୈତିକ ସମ୍ପର୍କରୁ ଆରମ୍ଭ କରି ସାଂସ୍କୃତିକ ତଥା ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ଆଦି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରାଯାଇଛି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ତେବେ ଆଜି ରାତିରେ ପ୍ରଧାନମନ୍ତ୍ରୀ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ସେଠାରେ ରାଷ୍ଟ୍ରପତି ଏମାନୁଏଲ ମାକ୍ରନଙ୍କୁ ସାକ୍ଷାତ କରିବେ।

ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ଜର୍ମାନୀ ରାଜଧାନୀ ବର୍ଲିନରେ ପହଞ୍ଚିିଥିଲେ। ସେଠାରେ ସେ ଚାନସେଲର ଓଲାଫ ସ୍କୋଲଜଙ୍କ ସହ ସାକ୍ଷାତ କରିବା ସହ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ପ୍ରବାସୀ ଭାରତୀୟଙ୍କ ସମୂଦାୟକୁ ମଧ୍ୟ ସମ୍ବୋଧିତ କରିଥିଲେ। ଗତକାଲି ଅପରାହ୍ନରେ ସେ ଡେନମାର୍କରେ ପହଞ୍ଚିଥିଲେ। ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସମେତ ମୋଟ ୫ ରାଷ୍ଟ୍ରମୁଖ୍ୟଙ୍କୁ ସାକ୍ଷାତ କରି ପ୍ୟାରିସ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ।