ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବା ନେଇ ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି

କୋଲକାତା,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗର ହୁଗୁଳିରେ ଏକ ଜନସଭାକୁ ସମ୍ବୋଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ମେ’୨ରେ ଯାହା ହେବାକୁ ଯାଉଛି ତାହା ନନ୍ଦିଗ୍ରାମରେ ଆମେ ଦେଖିସାରିଛୁ। ଏଥିସହ ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ସେ ଯୋଗ ଦେବେ ବୋଲି କହିଛନ୍ତି।

ମେ’ ୨ରେ ଭୋଟ ଗଣତି ହେବ ଓ ପଶ୍ଚିମବଙ୍ଗରେ ବିଜେପି ସରକାର ଗଢ଼ିବ। ଫଳରେ ଡବଲ ଇଞ୍ଜିନ ସରକାର ଆସିବ ଓ ଦୁଇଗୁଣା ଲାଭ ଦେବ। ଅନ୍ୟପଟେ ବିଧାନସଭାରେ କ୍ୟାବିନେଟ ବୈଠକରେ ପ୍ରଥମେ କେଉଁ ଯୋଜନା ସମ୍ପର୍କରେ ଆଲୋଚନା ହେବ ତାହା ମଧ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଛନ୍ତି କି କ୍ୟାବିନେଟ ବୈଠକରେ ପ୍ରଥମେ କୃଷକ ସମ୍ମାନ ନିଧି ଯୋଜନା ଲାଗୁ କରାଯିବ।

ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ ମମତା ବାନାର୍ଜୀଙ୍କ ଉପରେ ସାଧାରଣ ଜନତାଙ୍କୁ ଅପମାନ କରୁଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି କି ଦିଦି କହୁଛନ୍ତି ଯେ ଲୋକମାନେ ବିଜେପି ରାଲିରେ ସାମିଲ ହେବା ପାଇଁ ପଇସା ନେଉଛନ୍ତି। ଏହା କହି ଦିଦି ପଶ୍ଚିମବଙ୍ଗ ଲୋକଙ୍କ ଅପମାନ କରିଛନ୍ତି। ଏଥିସହ ମମତାଙ୍କ ଉପରେ ପଶ୍ଚିମବଙ୍ଗରେ ବିକାଶ କରି ନ ପାରିବା ଅଭିଯୋଗ ମଧ୍ୟ ହୋଇଛି।