୩ ସେନାର ମୁଖ୍ୟଙ୍କୁ ଭେଟିଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୩ ସେନାର ମୁଖ୍ୟଙ୍କ ସହ ଭିନ୍ନ ଭିନ୍ନ ବୈଠକ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆବାସରେ ହୋଇଥିବା ଏହି ବୈଠକରେ ‘ଅଗ୍ନିପଥ’ ଯୋଜନା ସମ୍ବନ୍ଧରେ ଆଲୋଚନା ହୋଇଥିଲା। ସର୍ବପ୍ରଥମେ ନୌସେନା ମୁଖ୍ୟ ଏଡମିରଲ ହରି କୁମାର ପ୍ରଧାନମନ୍ତ୍ରୀଙ୍କ ଆବାସରେ ପହଞ୍ଚିଥିଲେ । ପରେ ବାୟୁସେନା ମୁଖ୍ୟ ଏୟାର ଚୀଫ ମାର୍ଶଲ ବୀ ଆର ଚୌଧୁରୀ ଓ ଶେଷରେ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କୁ ମୋଦୀ ଭେଟିଥିଲେ । ବରିଷ୍ଠତା ହିସାବରେ ଗୋଟିଏ ପରେ ଗୋଟିଏ ବୈଠକ ହୋଇଥିଲା । ୩ ସେନାର ମୁଖ୍ୟଙ୍କ ସହ ମୋଦୀ ୩୦ ମିନିଟ ଲେଖାଏଁ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ବୈଠକ ପୂର୍ବରୁ ୩ ସେନା ଅଗ୍ନିପଥ ଯୋଜନା ଓ ଅଗ୍ନିବୀର ଭର୍ତ୍ତି ପ୍ରକ୍ରିୟାକୁ ନେଇ ପୁଣିଥରେ ପ୍ରେସ କନଫ୍ରେନ୍ସ କରିଥିଲେ । ଏଥିରେ ସେନା ଚାକିରି ନୁହେଁ ବରଂ ଦେଶପ୍ରେମକୁ ଗୁରୁତ୍ୱ ଦେଇଥାଏ ବୋଲି ଅଧିକାରୀମାନେ କହିଥିଲେ ।