ମାଓ ଆକ୍ରମଣରେ ୩ ଯବାନ ସହିଦ, ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ନୂଆପଡ଼ା,ଏନ୍‌ଏନ୍‌ଏସ୍‌: ନୂଆପଡ଼ାରେ ମାଓବାଦୀଙ୍କ ଆକ୍ରମଣ ଯୋଗୁ ସିଆରପିଏଫର ୩ଜଣ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ମାନେ ହେଲେ ଶିଶୁପାଳ ସିଂ, ଶିବଲାଲ ଓ ଧର୍ମେନ୍ଦ୍ର କୁମାର ସିଂ । ସିଆରପିଏଫ୍ ଏଏସଆଇ ଶିଶୁପାଳ ସିଂହ ହେଉଛନ୍ତି ଉତ୍ତରପ୍ରଦେଶ ନିବାସୀ । ସେହିପରି ଏଏସଆଇ ଶିବଲାଲ ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲା ଅନ୍ତର୍ଗତ ପଇଗା ନିବାସୀ ହୋଇଥିବାବେଳେ କନେଷ୍ଟବଳ ଧର୍ମେନ୍ଦ୍ର କୁମାର ସିଂହ ବିହାରର ରୋହତାସ ଜିଲ୍ଲା ଦନୱାର ଥାନା ଅନ୍ତର୍ଗତ ସରଭା ଗାଁର ବାସିନ୍ଦା ବୋଲି ଜଣାପଡ଼ିଛି । ଅନ୍ୟପଟେ ସହିଦଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ନୂଆପଡ଼ାର ବୋଡେନ୍ ଥାନା ଅନ୍ତର୍ଗତ ପାଟଧରା ସଂରକ୍ଷିତ ଜଙ୍ଗଲରେ ନକ୍ସଲମାନେ ଚଳପ୍ରଚଳ କରୁଥିବା ନେଇ ସିଆରପିଏଫ୍ ଯବାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ସିଆରପିଏଫ୍ ଯବାନମାନେ ନକ୍ସଲ ଦମନ ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହି ସମୟରେ ନକ୍ସଲମାନେ ଯବାନଙ୍କ ଉପରେ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଏହାର ଜବାବ ଦେବାକୁ ଯାଇ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ତେବେ ନକ୍ସଲଙ୍କ ଗୁଳିରେ ଘଟଣାସ୍ଥଳରେ ୩ଜଣ ଯବାନ ସହିଦ ହୋଇଥିଲେ ।