କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ମୋଦୀଙ୍କ ଆଲୋଚନା: ପିଲାଙ୍କ ଟିକାକରଣ ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦୀ ଦେଶରେ କରୋନା ସ୍ଥିତିକୁ ନେଇ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫ୍ରେନ୍ସିଂ ଜରିଆରେ ବୈଠକ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, କରୋନାର ଚ୍ୟାଲେଞ୍ଜ ଏବେ ବି ଶେଷ ହୋଇନାହିଁ । ଓମିକ୍ରନ୍ ଓ ତା’ର ସମସ୍ତ ଭ୍ୟାରିଆଣ୍ଟ କିପରି ଗମ୍ଭୀର ପରିସ୍ଥିତି ସୃଷ୍ଟି କରିପାରେ ତାହା ଆମେ ୟୁରୋପ ଦେଶରେ ଦେଖିପାରିବା । ଗତ କିଛିଦିନରେ କରୋନା ମାମଲା ବଢ଼ିଥିବା ବେଳେ ଅନେକ ଦେଶ ତୁଳନାରେ ଭାରତରେ ସ୍ଥିତି ନିୟନ୍ତ୍ରଣରେ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ୨ ବର୍ଷ ମଧ୍ୟରେ କରୋନାକୁ ନେଇ ଏହା ଆମର ୨୪ତମ ବୈଠକ । କରୋନା କାଳରେ କେନ୍ଦ୍ର ଓ ରାଜ୍ୟ ଯେପରି ମିଳିତ ଭାବେ କାମ କରିଛନ୍ତି ତାହା ଆଗକୁ ବି କରିବାକୁ ପଡ଼ିବ । କିଛି ରାଜ୍ୟରେ କରୋନା ମାମଲା ବଢ଼ୁଥିବାରୁ ସତର୍କ ରହିବାକୁ ପଡ଼ିବ । ତୃତୀୟ ଲହର ବେଳେ ଦୈନିକ ୩ଲକ୍ଷ ମାମଲା ଆମେ ଦେଖିଛୁ । ସେତେବେଳେ ସବୁ ରାଜ୍ୟ ସଫଳତାର ସହ ମୁକାବିଲା କରିଛନ୍ତି । କରୋନା ବିରୋଧରେ ଲଢ଼େଇ ଜାରି ରହିବ ।

ମୋଦୀ ଆହୁରି କହିଛନ୍ତି ଯେ, ଦୀର୍ଘ ଦିନ ପରେ ସ୍କୁଲ ଖୋଲିଥିବାରୁ ସଂକ୍ରମଣ ବଢ଼ିଛି । କିନ୍ତୁ ଏବେ ପିଲାଙ୍କୁ ବି ଟିକା ଦିଆଯିବ । ସବୁ ପିଲାଙ୍କୁ ଟିକା ଦେବା ଆମ ପ୍ରାଥମିକତା ହୋଇଥିବାରୁ ସ୍କୁଲରେ ଭ୍ୟାକ୍ସିନେସନ ଡ୍ରାଇଭ ଚାଲିବ । ଏଥିପାଇଁ ଶିକ୍ଷକ ଓ ପରିବାରବର୍ଗଙ୍କୁ ମଧ୍ୟ ସତର୍କ ରହିବାକୁ ପଡ଼ିବ ।