କୋଚି ମେଟ୍ରୋ ସହିତ ରେଲଓ୍ବେର ବିଭିନ୍ନ ପ୍ରକଳ୍ବର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଚି,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ଗସ୍ତରେ ଯାଇଥିବା ବେଳେ ଆଜି କୋଚି ଠାରେ ୪୫ ଶହ କୋଟି ଟଙ୍କାର ମେଟ୍ରୋ ଓ ରେଲଓ୍ବେର ବିଭିନ୍ନ ପ୍ରକଳ୍ବର ଶୁଭାରମ୍ଭ ଓ ମୂଳଦୁଆ ପକାଇଛନ୍ତି।

ପେଟାରୁ ଏସ୍‌ଏନ୍‌ ଜଙ୍କସନ୍‌ ପର୍ଯ୍ୟନ୍ତ କୋଚି ମେଟ୍ରୋ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମ ଶେଷ ହୋଇଛି। ତେବେ ଏହି ପ୍ରକଳ୍ପ ପାଇଁ ୭୦୦ କୋଟି ଟଙ୍କା ବ୍ୟୟବାରଦ ହୋଇଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି। କୋଚି ମେଟ୍ରୋ ରେଳ ପ୍ରକଳ୍ପ ଦେଶର ଏକ ମଜଭୁତ କାର୍ଯ୍ୟ ଯାହାକି ୫୫ ପ୍ରତିଶତ ବିଦ୍ୟୁତ୍‌ ସୋଲାର ପାଓ୍ବାରରୁ ଆସିବ।

ସେହିପରି ପ୍ରଧାନମନ୍ତ୍ରୀ ମୋଦୀ କୋଚି ମେଟ୍ରୋ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟ କାମର ମୂଳଦୁଆ ପକାଇଛନ୍ତି। ସେଥିରେ ଜେଏଲ୍‌ଏନ୍‌ ଷ୍ଟାଡିୟମ ଠାରୁ ଇନଫୋ ପାର୍କ(୧୧.୨ କିଲୋମିଟର) ପର୍ଯ୍ୟନ୍ତ ମେଟ୍ରୋ କାର୍ଯ୍ୟ ଚାଲିବ। ଏହା ୧୧ଟି ଷ୍ଟେସନ୍‌ ଦେଇ ଅତିକ୍ରମ କରିବ। ଏଥିପାଇଁ ୧୯୫୦ କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି।

କରୁପାନଥରା-କୋଟାୟାମ୍-ଚିଙ୍ଗାଭାନମ ପ୍ରକଳ୍ପର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ପ୍ରକଳ୍ପ ପାଇଁ ୭୫୦ କୋଟି ଟଙ୍କା ବ୍ୟୟ କରାଯାଇଛି। ସେହିପରି କୋଲାମ – ପୁନାଲୁର ମଧ୍ୟରେ ନୂତନ ବିଦ୍ୟୁତକରଣ ରେଳ ବିଭାଗକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଅନ୍ୟପଟେ କେରଳ- ଏର୍ଣ୍ଣାକୁଲମ ଜଂସନ୍‌, ଏର୍ଣ୍ଣାକୁଲମ ସହର ଓ କୋଲମରେ ୩ଟି ରେଳ ଷ୍ଟେସନର ନବୀକରଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ୧୦୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ରେଲଓ୍ବେ ଷ୍ଟେସନ ମାନଙ୍କରେ ରାଜ୍ୟ କଳା କୃତି, ବିଶ୍ବସ୍ତରୀୟ ସୁବିଧା, ସ୍କାୟ ଓ୍ବାକର, ସୋଲାର ପାନେଲ ପ୍ରଭୃତି ସୁବିଧା ରହିବ।