ଗୁଜରାଟର ଦାହୋଦରେ ୨୨ ହଜାର କୋଟି ଟଙ୍କାର ପରିଯୋଜନାର ଶିଳାନ୍ୟାସ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଦାହୋଦରେ ଅନେକ ବିକାଶମୂଳକ ପରିଯୋଜନାର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ମୋଦୀ କହିଛନ୍ତି ଯେ, ଦାହୋଦ ଏବେ ମେକ ଇନ୍ ଇଣ୍ଡିଆର ବଡ଼ କେନ୍ଦ୍ର ହେବାକୁ ଯାଉଛି । ଆଜି ଦାହୋଦ ଓ ପଞ୍ଚମହାଲ ବିକାଶ ସହ ଜଡ଼ିତ ୨୨ ହଜାର କୋଟିରୁ ଅଧିକ ଟଙ୍କାର ପରିଯୋଜନାର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି । ସେଥିରେ ଗୋଟିଏ ପିଇବା ପାଣି ସହିତ ଜଡ଼ିତ ଓ ଅନ୍ୟଟି ଦାହୋଦକୁ ସ୍ମାର୍ଟ ସିଟି କରିବାର ପରିଯୋଜନା ସାମିଲ ରହିଛି । ପାଣିର ଏହି ପ୍ରୋଜେକ୍ଟ ଦ୍ୱାରା ଦାହୋଦର ଅନେକ ଗାଁର ମା’ ଭଉଣୀଙ୍କ ଜୀବନ ସରଳ ହୋଇଯିବ । ଏବେ ଦାହୋଦରେ ୨୦ ହଜାର କୋଟି ଟଙ୍କା କାରାଖାନା ସ୍ଥାପନ କରାଯିବ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଆଜି ଭାରତର ରେଳ ଆଧୁନୀକରଣ ଓ ବିଦ୍ୟୁତୀକରଣ ଦ୍ରୁତ ହେଉଛି । ମାଲ ଗାଡ଼ି ପାଇଁ ଭିନ୍ନ ରାସ୍ତା ନିର୍ମାଣ କରାଯାଉଛି । ଇଲେକଟ୍ରିକ ଲୋକୋମୋଟିଭର ଚାହିଦା ବିଦେଶରେ ବଢ଼ିବାରେ ଲାଗିଛି। ଏହି ଚାହିଦାକୁ ପୂରଣ କରିବା ପାଇଁ ଦାହୋଦ ବଡ଼ ଭୂମିକା ନିର୍ବାହ କରିବ ।