କାଲିଠୁ କରୋନା ଟିକାକରଣ: ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତାକାଲିଠୁ ସାରା ଦେଶରେ ଆରମ୍ଭ ହେବ କୋଭିଡ ଟିକା କରଣ। ସକାଳ ସାଢ଼େ ୧୦ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିବେ। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁଯାୟୀ ଦେଶର ୩ ହଜାର କେନ୍ଦ୍ରରେ ଟିକାକରଣ ହେବ। ପରବର୍ତ୍ତୀ ସମୟରେ ୫ ହଜାରରୁ ଅଧିକ ଟିକାଦାନ କେନ୍ଦ୍ର ଖୋଲିବ। ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ପ୍ରଧାନମନ୍ତ୍ରୀ କେତେକ ସ୍ଥାନର ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅନଲାଇନରେ କଥାବାର୍ତ୍ତା କରିବାର କାର୍ଯ୍ୟକ୍ରମ ରହିଛି। ଅଧିକ ସଂକ୍ରମଣ ଆଶଙ୍କା ଥିବା ୩ କୋଟି ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଅନ୍ୟାନ୍ୟ ସମ୍ମୁଖ ଯେଦ୍ଧାଙ୍କୁ ଟିକା ଦେବା ପାଇଁ ସ୍ଥିର ହୋଇଛି। ୧୮ ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଗର୍ଭବତୀ ଏବଂ ଆଲର୍ଜି ଥିବା ବ୍ୟକ୍ତି କୋଭିଡ ଟିକା ନ ନେବାକୁ ପରାମର୍ଶ ଦିଆଯାଇଛି।

ସେହିପରି ଟିକାକରଣ ପାଇଁ ଚୟନ ହୋଇଥିବା ବ୍ୟକ୍ତିଙ୍କ ମୋବାଇଲକୁ ଏସଏମଏସ୍ ଜରିଆରେ କେବେ ଟିକା ନେବେ ସେ ନେଇ ସୂଚନା ଦିଆଯିବ। ପରେ ସେମାନେ ଦିଆଯାଇଥିବା ତାରିଖ ଓ ସମୟରେ କେନ୍ଦ୍ରକୁ ଆସି ଟିକା ନେବେ। ଓଡ଼ିଶାରେ ୩ ଲକ୍ଷ ୩୮ ହଜାର ସ୍ୱାସ୍ଥ୍ୟକର୍ମୀ ପଞ୍ଜିକୃତ ହୋଇଥିବା ବେଳେ ପ୍ରଥମ ଦଫାରେ ୧ ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି।