ମୋରବୀ ଘଟଣାକୁ ନେଇ ଭାବବିହ୍ୱଳ ହେଲେ ମୋଦୀ

ଗୁଜରାଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବନାସକାଣ୍ଠା ଜିଲ୍ଲାର ଥରାଡ଼ରେ ଆଜି ବିଭିନ୍ନ ପରିଯୋଜନାର ଶିଳାନ୍ୟାସ କରିଛନ୍ତି । ଏଠାରେ ମୋଦୀ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦୀ ମୋରବୀ ପୋଲ ଦୁର୍ଘଟଣା କଥା କହି ଭାବବିହ୍ୱଳ ହୋଇଥିବା ଦେଖିବାକୁ ମିଳିଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଉକ୍ତ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ବ୍ୟକ୍ତ କରୁଛି । ଏଭଳି ଦୁଃଖଦ ପରିସ୍ଥିତିରେ ସରକାର ସମସ୍ତ ଶୋକସନ୍ତପ୍ତ ପରିବାର ସହ ରହିଛନ୍ତି । ଗୁଜରାଟ ସରକାର ଗତକାଲିଠୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । କେନ୍ଦ୍ର ମଧ୍ୟ ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରୁଛନ୍ତି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଏଥିସହିତ ଗୁଜରାଟ ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଦେବା ନେଇ ଘୋଷଣା କରାଯାଇଛି ।