ଶାସନ ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ବୈଠକ: ୭୭ ଜଣ ମନ୍ତ୍ରୀଙ୍କୁ ୮ଟି ଦଳରେ ବିଭକ୍ତ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଶାସନ ବ୍ୟବସ୍ଥାର ଦକ୍ଷତା ଓ ସ୍ବଚ୍ଛତା ବୃଦ୍ଧି ନିମନ୍ତେ କେନ୍ଦ୍ର ସରକାର ସମଗ୍ର ମନ୍ତ୍ରିମଣ୍ଡଳର ୭୭ ଜଣ ମନ୍ତ୍ରୀଙ୍କୁ ୮ଟି ପୃଥକ୍ ଦଳରେ ବିଭକ୍ତ କରିଥିବା କଥା ସରକାରୀସୂତ୍ରରୁ ପ୍ରକାଶ। ୮ ଭାଗରେ ବିଭକ୍ତ ହୋଇଥିବା ମନ୍ତ୍ରୀମାନେ ଯୁବ ଅଧିକାରୀଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ସହ ଅବରସପ୍ରାପ୍ତ ସରକାରୀ ଅଧିକାରୀମାନଙ୍କ ଠାରୁ ପରାମର୍ଶ ଲୋଡ଼ିବେ ଏବଂ ବିଭିନ୍ନ ପ୍ରକଳ୍ପଗୁଡ଼ିକର ତତ୍ତ୍ବାବଧାନ ନିମନ୍ତେ ପ୍ରଯୁକ୍ତିବିଦ୍ୟାର ସର୍ବୋତମ ଉପଯୋଗ କରିବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମଗ୍ର ମନ୍ତ୍ରୀ ପରିଷଦ୍‌ର ୫ଟି ‘ଚିନ୍ତନ ଶିବିର’ ପରେ ମନ୍ତ୍ରୀମାନଙ୍କୁ ୮ଟି ଦଳରେ ବିଭକ୍ତ କରାଯାଇଛି। ‘ଚିନ୍ତନ ଶିବିର’ର ପ୍ରତ୍ୟେକ ବୈଠକ ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା। ବ୍ୟକ୍ତିଗତ ପାରଦର୍ଶିତା, କେନ୍ଦ୍ରୀଭୂତ ପ୍ରବର୍ତ୍ତନ, ମନ୍ତ୍ରାଳୟ ପରିଚାଳନା ଏବଂ କର୍ମଚାରୀ ନିୟୋଜନ, ଦଳୀୟ ସହଯୋଗୀତା ଏବଂ ଫଳପ୍ରଦ ଯୋଗାଯୋଗ ଉପରେ ଉକ୍ତ ବୈଠକ ବସିଥିଲା। ଶେଷ ବୈଠକଟି ଥିଲା ସଂସଦୀୟ ପ୍ରଥା ଉପରେ। ଏଥିରେ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲା ଏବଂ ରାଜ୍ୟସଭା ଅଧ୍ୟକ୍ଷ ଏମ୍‌. ଭେଙ୍କୟା ନାଇଡୁ ମଧ୍ୟ ଯୋଗ ଦେଇଥିଲେ।

ଉପରୋକ୍ତ ବୈଠକଗୁଡ଼ିକରେ ମୁଖ୍ୟତଃ ମୋଦୀ ସରକାରଙ୍କ ପାରଦର୍ଶିତା ଏବଂ ଯୋଗାଣ ବ୍ୟବସ୍ଥାକୁ ଉନ୍ନତ କରାଯିବା ଉପରେ ଦୃଷ୍ଟି ନିବଦ୍ଧ କରାଯାଇଥିଲା। ଗଠନ କରାଯାଇଥିବା ୮ଟି ଦଳରେ ରହିଛନ୍ତି ୯ ରୁ ୧୦ଜଣ ଲେଖାଏଁ ମନ୍ତ୍ରୀ। ପ୍ରତି ଦଳ ପାଇଁ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ ଦଳର ସମନ୍ବୟକାରୀ ପାହ୍ୟାରେ ରଖାଯାଇଛି। ସେମାନଙ୍କ ମଧ୍ୟରୁ କେତେଜଣ କେନ୍ଦ୍ରମନ୍ତ୍ରୀ ହେଉଛନ୍ତି, ହରଦୀପ ସିଂହ ପୁରୀ, ନରେନ୍ଦ୍ର ସିଂହ ତୋମାର, ପୀୟୂଷ ଗୋୟଲ୍, ଧର୍ମେନ୍ଦ୍ର ପ୍ରଧାନ, ସ୍ମୃତି ଇରାନୀ ଏବଂ ଅନୁରାଗ ଠାକୁର।