ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି(ସୋମବାର) ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି। ପର୍ଯ୍ୟାୟକ୍ରମେ ଶ୍ରେଣୀଗୃହ ପାଠପଢାକୁ ରାଜ୍ୟ ସରକାର ତଥା ଗଣଶିକ୍ଷା ବିଭାଗ ଗୁରୁତ୍ୱ ଦେଉଥିବା ବେଳେ ସୋମବାର ଠାରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଅଫଲାଇନ ପାଠପଢା ଆରମ୍ଭ ହୋଇଛି। ଦୀର୍ଘ ଦେଢ ବର୍ଷ ପରେ ଛାତ୍ରଛାତ୍ରୀ ବିଦ୍ୟାଳୟ ମାଟି ମାଡ଼ିଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କୋଭିଡ କଟକଣାକୁ ମାନି ପୂର୍ବ ଗାଇଡ଼ଲାଇନ ଅନୁସାରେ ଆଜି ଶିକ୍ଷାଦାନ ଆରମ୍ଭ ହୋଇଛି। ସକାଳ ୯ଟା ୩୦ରୁ ଦିନ ୧ଟା ପର୍ଯ୍ୟନ୍ତ ପାଠପଢା ଚାଲିବାକୁ ଥିବାବେଳେ ପୂର୍ବରୁ ଅଷ୍ଟମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଜାରି ରହିଛି।
ତେବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଲାଗି ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ କ୍ଲାସ୍ ଜାରି ରହିବ। ଅନ୍ୟପଟେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତକୁ ସାନିଟାଇଜ କରିବା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଯେଉଁ ସ୍ଥାନରେ କରୋନା ସଂକ୍ରମଣ ଅଧିକ ରହିଥିବା ସେଠାରେ ବିଦ୍ୟାଳୟ ଖୋଲିବା ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ଜିଲ୍ଲାପାଳମାନେ ନେଇପାରିବେ। ସେହିପରି ଆଜିଠାରୁ ପିଜି ପ୍ରଥମ ବର୍ଷ ପାଠପଢା ମଧ୍ୟ ଆରମ୍ଭ ହେବ।
ୟୁଜିର ଦ୍ଵିତୀୟ ଓ ତୃତୀୟ ବର୍ଷ ପାଠ ପଢ଼ା ଚାଲିଥିଲା, ୟୁଜି ପ୍ରଥମ ବର୍ଷ ପାଠପଢ଼ା ନଭେମ୍ବର ଏକ ତାରିଖରୁ ଆରମ୍ଭ ହୋଇଛି। ପିଜି ଦ୍ଵିତୀୟ ବର୍ଷ ପାଠପଢ଼ା ଚାଲିଥିବା ବେଳେ ଆଜିଠାରୁ ପ୍ରଥମ ବର୍ଷ ଖୋଲିବାକୁ ଯାଉଛି। ସରକାରଙ୍କ ସମସ୍ତ ଗାଇଡ଼ଲାଇନ ଓ କରୋନା ନିୟମାବଳୀ ଆଧାରରେ ପାଠପଢା ହେବ।