ସୁଟିଂରେ ସ୍ୱର୍ଣ୍ଣ ଓ ରୌପ୍ୟ ବିଜେତାଙ୍କୁ ଫୋନ୍ କଲେ ମୋଦୀ

ନୂଆଦିଲ୍ଲୀ: ଟୋକିଓ ପାରାଅଲମ୍ପିକ ଗେମ୍ସରେ ଆଜିର ଦିନଟି ଭାରତ ପାଇଁ ଜବରଦସ୍ତ ରହିଛି। ସୁଟିଂରେ ମନିଷ ନରବାଲେ ସ୍ୱର୍ଣ୍ଣ ପଦକ ଜିତି ଥିବାବେଳେ ସିଙ୍ଘରାଜ ଅଦାନା ରୌପ୍ୟ ପଦକ ଜିତିଛନ୍ତି। ମନିଷ ଓ ସିଙ୍ଘରାଜଙ୍କ ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ ଯୋଗେ ଉଭୟଙ୍କୁ ଶୁଭକାମନା ଜଣାଇଛନ୍ତି। ପାରାଆଥେଲିଟଙ୍କୁ ଲଗାତାର ଭାବେ ପ୍ରୋତ୍ସାହିତ କରିବା ସହ ସମର୍ଥନ କରିଥିବାରୁ ଉଭୟ ଖେଳାଳି ମୋଦୀଙ୍କଠାରେ ଆଭାର ବ୍ୟକ୍ତ କରିଛନ୍ତି।

ମୋଦୀ ଟ୍ୱିଟ୍ କରି ମଧ୍ୟ ଉଭୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ, ଟୋକିଓ ପାରାଅଲମ୍ପିକରୁ ଗୌରବମୟ ମୁହୂର୍ତ୍ତ ଲଗାତାର ଭାବେ ଆସୁଛି। ଏହା ଯୁବା ଓ ପ୍ରତିଭାଶାଳୀ ମନିଷଙ୍କର ନରବାଲେଙ୍କର ବଡ଼ ଉପଲବ୍ଧି। ତାଙ୍କର ସ୍ୱର୍ଣ୍ଣ ପଦକ ଜିତିବା ଭାରତୀୟ ଖେଳ ପାଇଁ ଏକ ଖାସ୍ ମୁହୂର୍ତ୍ତ। ସିଂଘରାଜ ଅଦାନା ଭାରତ ପାଇଁ ଆଉ ଗୋଟିଏ ପଦକ ଜିତିଛନ୍ତି। ତାଙ୍କର କାରନାମା ପାଇଁ ଭାରତ ବେଶ୍ ଖୁସି ଅଛି।