ଆନ୍ତର୍ଜାତୀୟ ଯୋଗ ଦିବସ: ଦେଶବାସୀଙ୍କୁ ସମ୍ବୋଧନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରସ୍ତାବ ଦେବାର କିଛି ମାସ ପରେ ୨୦୧୪ ମସିହା ଡିସେମ୍ବର ୧୧ ତାରିଖରେ ମିଳିତ ଜାତିସଂଘର ସାଧାରଣ ସଭାରେ ଜୁନ୍ ୨୧କୁ ଆନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରାଯାଇଥିଲା। ଏନେଇ ଆଜି ବିଶ୍ୱ ସହିତ ଭାରତ ୭ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି କି ଯୋଗ ଆମକୁ ଚାପ ଠାରୁ ଶକ୍ତି ଏବଂ ନକାରାତ୍ମକତା ଠାରୁ ସୃଜନଶୀଳତା ପର୍ଯ୍ୟନ୍ତ ରାସ୍ତା ଦେଖାଇଥାଏ। ସେହିପରି ଯୋଗ ଆମକୁ ଉଦାସୀନତା ଠାରୁ ଉତ୍କଣ୍ଠା ଏବଂ ଆନନ୍ଦରୁ ପ୍ରସାଦ ପର୍ଯ୍ୟନ୍ତ ନେଇଥାଏ। ଏପରିକି ଯେତେବେଳେ ସାରା ବିଶ୍ୱ କରୋନା ମହାମାରୀ ସହିତ ଲଢ଼ୁଛି, ଏଥିରେ ଯୋଗ ଏକ ଆଶାର କିରଣ ହୋଇ ରହିଛି।

ଯଦିଓ ଗତ ୨ ବର୍ଷ ହେବ ଭାରତ ତଥା ବିଶ୍ୱରେ କୌଣସି ବୃହତ ଜନସାଧାରଣ କାର୍ଯ୍ୟକ୍ରମ ଆୟୋଜନ ହୋଇ ନାହିଁ, କିନ୍ତୁ ଯୋଗ ଦିବସ ପାଇଁ ଉତ୍ସାହ ସାମାନ୍ୟ କମିନାହିଁ ବୋଲି ମୋଦୀ କହିଛନ୍ତି। ଏଥିସହିତ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି କି ଯେତେବେଳେ ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପିଥିଲା, ସେତେବେଳେ କୌଣସି ଦେଶ ଶାରୀରିକ କିମ୍ବା ମାନସିକ ଭାବେ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ନଥିଲା। କିନ୍ତୁ ସେ ସମୟରେ ଯୋଗ ହିଁ ଆତ୍ମ ଶକ୍ତିର ମୁଖ୍ୟ ସାଧନା ପାଲଟିଥିଲା। ଏହି ମହାମାରୀର ମୁକାବିଲା ପାଇଁ ଯୋଗ ହିଁ ଲୋକଙ୍କ ମନରେ ଶକ୍ତି ଉତ୍ପନ୍ନ କରିଥିଲା।

ତେବେ କରୋନା ମହାମାରୀ ମଧ୍ୟରେ ଲୋକଙ୍କ ମଧ୍ୟରେ ଯୋଗ ପ୍ରତି ଉତ୍ସାହକୁ ବଢ଼ାଇବା ପାଇଁ ଚଳିତ ବର୍ଷ ଏହାର ଥିମ ‘ସୁସ୍ଥତା ପାଇଁ ଯୋଗ’ ରଖାଯାଇଛି। ଏହି ଦିବସରେ ପ୍ରତ୍ୟେକ ବ୍ୟକ୍ତି ସୁସ୍ଥ ରହୁ ଓ ସମସ୍ତେ ଏକଜୁଟ ହୋଇ ପରସ୍ପରର ବଳ ହୁଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି।

ଏଥିସହ ସେ କହିଛନ୍ତି ଯେ ଆରୋଗ୍ୟ ପ୍ରକ୍ରିୟାରେ ଚିକିତ୍ସା ସହିତ ଯୋଗ ମଧ୍ୟ ଲାଭଦାୟକ ଅଟେ। ମୁଁ ସନ୍ତୁଷ୍ଟ ଯେ ଆଜି ବିଶ୍ୱର ବିଭିନ୍ନ ସ୍ଥାନରୁ ବିଶେଷଜ୍ଞମାନେ ଯୋଗର ଏହି ଦିଗ ଉପରେ ଅନେକ ପ୍ରକାର ଅନୁସନ୍ଧାନ କରୁଛନ୍ତି। ତେବେ ଯୋଗ କେବଳ ଶାରୀରିକ ନୁହେଁ ମାନସିକ ଶାନ୍ତି ପାଇଁ ମଧ୍ୟ ବେଶ୍ ଜରୁରୀ ବୋଲି କହିଛନ୍ତି।

ଜାତିସଂଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହିତ ମିଶି ଭାରତ ଏହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି। ବର୍ତ୍ତମାନ ବିଶ୍ୱ ‘ଏମ୍-ଯୋଗ’ ଆପର ଶକ୍ତି ପାଇବାକୁ ଯାଉଛି। ଏହି ଆପରେ ସାଧାରଣ ଯୋଗକୁ ଆଧାର କରି ବିଶ୍ୱର ବିଭିନ୍ନ ଭାଷାରେ ଯୋଗ ପ୍ରଶିକ୍ଷଣର ଅନେକ ଭିଡିଓ ଉପଲବ୍ଧ ହେବ।