ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଓ କୋଭିଡ ପରିସ୍ଥିତିରୁ ମିଳିଲା ଶିକ୍ଷା, ଆତ୍ମନିର୍ଭର ହେବା ଜରୁରୀ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଓ କରୋନା ଭାଇରସ ଭଳି ପରିସ୍ଥିତି ଦେଶକୁ ଆତ୍ମନିର୍ଭର ହେବା ସଂକଳ୍ପକୁ ଆହୁରି ଅଧିକ ମଜବୁତ କରୁଛି । ବର୍ତ୍ତମାନ ସମୟରେ ଆତ୍ମନିର୍ଭର ହେବା ଜରୁରୀ । ସେ ଲୋକଙ୍କୁ ଅପିଲ କରିଛନ୍ତି ଯେ, ଭାରତରେ ଉତ୍ପାଦିତ ହେଉଥିବା ସାମଗ୍ରୀକୁ ଅଧିକ ପ୍ରେତ୍ସାହନ ଦିଆଯାଉ ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀ ସ୍ୱାମୀନାରାୟଣ ଗୁରୁକୁଳ ବିଶ୍ୱବିଦ୍ୟା ପ୍ରତିଷ୍ଠାନର ଗୁରୁଦେବ ଶାସ୍ତ୍ରୀଜୀ ମହାରାଜଙ୍କ ଜୀବନୀ ଉପରେ ପର୍ଯ୍ୟବେସିତ ପୁସ୍ତକ ‘ଶ୍ରୀ ଧର୍ମଜୀବନ ଗାଥା’ର ୬ ଖଣ୍ଡକୁ ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବା ଅବସରରେ କହିଛନ୍ତି ଯେ, ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ’ର ଶ୍ଲୋଗାନ ଶାସ୍ତ୍ରୀଜୀ ମହାରାଜଙ୍କ ସର୍ବଜନ ହିତାୟ (ସମସ୍ତଙ୍କ କଲ୍ୟାଣ)ର ଆହ୍ୱାନ ପ୍ରେରିତ କରିଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଜି ପ୍ରତ୍ୟେକ ଲୋକ ନୂଆ ଚ୍ୟାଲେଞ୍ଜକୁ ସାମ୍ନା କରୁଛନ୍ତି । ଆମେ କରୋନା ଭାଇରସର ଅଭିଜ୍ଞତା ହାସଲ କରିଛେ । ଏବେ ୟୁକ୍ରେନ୍‌-ରୁଷିଆର ଯୁଦ୍ଧ ଅନୁଭବ କରୁଛେ । ସେ କହିଛନ୍ତି ଯେ, ଆଜିର ବିଶ୍ୱରେ ଏହା ଅନୁମାନ କରିବା ନିଶ୍ଚିତ ଭାବେ ଅଡୁଆ ଯେ, କେବେ କ’ଣ ହେବ । ଏହା ଆମକୁ କେମିତି ପ୍ରଭାବିତ କରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ଥାନୀୟ ଜିନିଷ ପ୍ରତି ଗୁରୁତ୍ୱ ଦେବାର ସମୟ ଆସିଛି । ଏହା ଦ୍ୱାରା ରୋଜଗାର ସୃଷ୍ଟି ହେବ ଏବଂ ଦେଶ ସମୃଦ୍ଧ ହେବ ।