ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ମୋଦୀଙ୍କ ବୈଠକ, ସ୍ୱାକ୍ଷର ହେଲା ବିଭିନ୍ନ ଚୁକ୍ତିନାମା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ୟୁରୋପ ଗସ୍ତ ଆଜି ଦ୍ୱିତୀୟ ଚରଣରେ ପହଞ୍ଚିଛି । ଏହି ଅବସରରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକ୍ସେନ ମୋଦୀଙ୍କୁ ସ୍ୱାଗତ କରିଥିଲେ । ପରେ ଉଭୟ ନେତାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଭାରତ ଓ ଡେନମାର୍କ ମଧ୍ୟରେ ଶୁଦ୍ଧ ପାଣି, ମତ୍ସ୍ୟ ପାଳନ କେନ୍ଦ୍ର, କୌଶଲ ବିକାଶ, ମାଇଗ୍ରେସନ ଓ ମୋବିଲିଟି ଉପରେ ଚୁକ୍ତି ସମେତ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା। ଏଥିସହିତ ଅନେକ ବାଣିଜ୍ୟିକ ଚୁକ୍ତି ଉପରେ ମଧ୍ୟ ଉଭୟ ଦେଶ ଦସ୍ତଖତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଓ ମେଟ୍ଟେ ଫ୍ରେଡେରିକ୍ସେନ ଋଷ ଓ ୟୁକ୍ରେନ ଯୁଦ୍ଧ ଉପରେ ବି ଆଲୋଚନା କରିଥିଲେ । ଡେନମାର୍କ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆମେ ୨ଟି ଲୋକତନ୍ତ୍ର । ନିକଟତର ସହଯୋଗୀ ରୂପେ ଆମେ ୟୁକ୍ରେନ ସଙ୍କଟ ଉପରେ ଆଲୋଚନା କରିଥିଲୁ । ପୁତିନଙ୍କୁ ଏହି ଯୁଦ୍ଧ ରୋକିବାକୁ ପଡ଼ିବ । ଆଶା କରୁଛି ଭାରତ ମଧ୍ୟ ଯୁଦ୍ଧ ରୋକିବାକୁ ନେଇ ଋଷ ଉପରେ ଚାପ ପକାଇବ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଓ ଡେନମାର୍କ ସମ୍ବନ୍ଧ ସହ ଆମେ ବୈଷୟିକ ଓ କ୍ଷେତ୍ରୀୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରିଥିଲୁ । ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଋଷ-ୟୁକ୍ରେନ ଯୁଦ୍ଧ ରୋକିବା ଉପରେ ଗୁରୁତ୍ୱ ଦେଇଥିଲୁ ।