ବେଲୁର ମଠରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ଅବସରରେ ଯୁବ ବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

କୋଲକାତା,ଏଜେନ୍ସି: ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବଦିବସ ଅବସରରେ କୋଲକାତାର ବେଲୁର ମଠ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବ ବର୍ଗ ଓ ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବା ସହିତ ସିଏଏକୁ ନେଇ ଯୁବକମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ଭରି ରହିଛି ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସିଏଏ କାହାର ନାଗରିକତା ଛଡ଼ାଇ ନେବ ନାହିଁ, ବରଂ ଏହା ନାଗରିକତା ଦେବା ପାଇଁ। ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶରେ ଧାର୍ମିକ ନିର୍ୟାତନାର ଶିକାର ହୋଇ ଭାରତ ପଳାଇ ଆସୁଥିବା ନାଗରିକମାନଙ୍କୁ ଏହା ନାଗରିକତା ପ୍ରଦାନ କରିବ।

ସେହିପରି ରାତାରାତି ସିଏଏ ପ୍ରଣୟନ କରାଯାଇନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ତେଣୁ ସିଏଏକୁ ନେଇ ଯୁବ ବର୍ଗଙ୍କ ମଧ୍ୟରେ ସଚେତନତା ହେବା ଆବଶ୍ୟକ ଓ ସେମାନଙ୍କୁ ଗୁଜବର ଶିକାର ନହେବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବବର୍ଗଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସେମାନେ ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶ ଗଠନରେ ସାମିଲ ହୁଅନ୍ତୁ।