ସରଗରମ ହେଉଛି ପିପିଲି ଉପ ନିର୍ବାଚନ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପ୍ରଥମେ ମା’। ପରେ ପୁଅ। ମହାରଥୀ ପରିବାରର ଏହି ଦୁଇ ସଦସ୍ୟଙ୍କୁ ଗଣମାମାଧ୍ୟମ ଆଗରେ କୈଫିୟତ ଦେବାକୁ ପଡ଼ିଛି। ବିଜେଡି ବିଧାୟକ ତଥା ମୁଖପାତ୍ର ପ୍ରତାପକେଶରୀ ଦେବଙ୍କୁ ଦଳପକ୍ଷରୁ ପିପିଲି ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିବା ପରେ ବୟାନବାଜି ଆରମ୍ଭ ହୋଇଛି। ପ୍ରତାପ ପିପିଲି ନିର୍ବାଚନମଣ୍ଡଳୀ ଗସ୍ତ କରି ସମୀକ୍ଷାକରିବେ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବେ। ସେଇ ଆଧାରରେ ଟିକେଟ୍ କିଏ ପାଇବ ସ୍ପଷ୍ଟହେବ। ଉପ ନିର୍ବାଚନ ତାରିଖ ଘୋଷଣା ହୋଇ ନଥିଲେ ହେଁ ପ୍ରାର୍ଥୀ ଚୟନକୁ ନେଇ ରାଜନୀତି କିନ୍ତୁ ଏଠାରେ ସର୍ଗରମ। କେବଳ ବିଜେଡି, ବିଜେପି ବା କଂଗ୍ରେସ ନୁହେଁ , ମହାରଥୀ ମା’-ପୁଅଙ୍କ ଭିତରୁ କାହାକୁ ଟିକେଟ ମିଳିବ ତାହାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ବିଜେଡିର ଗଡ଼ କୁହାଯାଉଥିବା ପିପିଲି ବିଧାନସଭା କ୍ଷେତ୍ରରୁ ସ୍ୱର୍ଗତଃ ପ୍ରଦୀପ ମହାରଥୀ ୭ଥର ପ୍ରତିନିଧିତ୍ୱ କରିଛନ୍ତି। ଗତବର୍ଷ ଅକ୍ଟୋବର ୫ରେ ତାଙ୍କର ମୃତ୍ୟୁହେବା ପରେ ଏହି ଆସନ ଖାଲିପଡ଼ିଛି। ଉପନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳର ଛାମୁଆ ନେତାମାନେ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲେଣି। ଏହି ସମୟରେ ଦିବଙ୍ଗତ ବିଧାୟକ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ କହିଛନ୍ତି, ମୁଁ ମାଟି ପାଇଁ କାମ କରୁଥିଲି କରିବି। ଟିକେଟ୍ ଆଶାରେ କେବେ ମୁଁ ମାଟି ପାଇଁ କାମ କରିନାହିଁ। ପାର୍ଟି ଡାକି ଆଲୋଚନା କଲେ ଆଗକୁ ବଢିବୁ। ଦଳପକ୍ଷରୁ ଏଯାଏଁ ଡାକି ଆଲୋଚନା କରାଯାଇନାହିଁ କି ମୁଁ ମଧ୍ୟ କୌଣସି ନିଷ୍ପତ୍ତି ନେଇନାହିଁ।
ରୁଦ୍ର ଆହୁରି କହିଛନ୍ତି, ଟିକେଟ୍ ପାଇଁ ମା’ ଓ ମୋ ମଧ୍ୟରେ ବିବାଦ ନାହିଁ। କେବଳ ଅପପ୍ରଚାର ହେଉଛି। ଫାଇଦା ଉଠାଇବାକୁ ବିରୋଧୀ ଏଭଳି ଅପପ୍ରଚାର କରୁଛନ୍ତି। ତେବେ ପିପିଲିରୁ ପ୍ରାର୍ଥୀ କିଏ ହେବେ ସେନେଇ ଆମ ମଧ୍ୟରେ କିଛି ଆଲୋଚନା ହୋଇନାହିଁ। ଦଳ ଯାହା ନିଷ୍ପତ୍ତି ନେବ ତାହାକୁ ଗ୍ରହଣ କରିବୁ । ତେବେ ମା’-ପୁଅ ବିବାଦରୁ ପିପିଲିର ବିଜେଡି ସଂଗଠନ ଦୁଇଫାଳ ହୋଇଥିବା କୁହାଯାଉଥିôବାରୁ ରାଜନୈତିକ ସମୀକ୍ଷକମାନେ ଭିନ୍ନ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି।
ଜାନୁଆରୀ ୨୦ରେ ପ୍ରତିଭା କହିଥିଲେ ଯେ ସ୍ୱାମୀ ପ୍ରଦୀପଙ୍କ ବିୟୋଗ ପରେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀ ଆସନ ଖାଲି ରହିଛି। ଏଠାରେ ହେବାକୁ ଥିବା ଉପନିର୍ବାଚନରେ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିରକରିବେ। ହେଲେ ‘ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି’। ଉପନିର୍ବାଚନ ଲଢ଼ିବାରେ ତାଙ୍କର କୌଣସି ସମସ୍ୟା ନାହିଁ। କେବଳ ସୁଯୋଗକୁ ଅପେକ୍ଷା। ମୁଖ୍ୟମନ୍ତ୍ରୀ ସେଇ ସୁଯୋଗ ଦେଲେ ସେ ତାହାକୁ ଆଦରର ସହ ଗ୍ରହଣ କରିବେ। ପ୍ରତିଭାଙ୍କ ଏହି ବୟାନ ପରେ ଚର୍ଚ୍ଚାରେ ଥିବା ପୁଅ ରୁଦ୍ରପ୍ରତାପ, ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁଙ୍କର ନାମ ପଛକୁ ଚାଲିଯାଇଥିଲା। ଏବେ ରୁଦ୍ରଙ୍କ ବୟାନ ପରେ ପୁଣି ତାଙ୍କ ନାମକୁ ନେଇ ଚର୍ଚ୍ଚା ଆରମ୍ଭହୋଇଛି।