ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟର ସୁକୁମାର ଜିଲ୍ଲାସ୍ଥିତ କିସ୍ତାରାମ ଜଙ୍ଗଲର ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାକୁ ମାଓବାଦୀ ଓ ତାଙ୍କ ପ୍ରରୋଚନାରେ ଗ୍ରାମବାସୀମାନେ ଖୋଳୁଥିବାର ଚିତ୍ର ଡ୍ରୋନ କ୍ୟାମେରାରେ ଉତ୍ତୋଳନ କରାଯାଇଛି। ସୁରକ୍ଷାକର୍ମୀଙ୍କ ଦ୍ୱାରା ଦିନକୁଦିନ ମାଓ ବିରୋଧୀ ଅପରେସନ ଜାରି ରହିଥିବାବେଳେ ସେମାନଙ୍କୁ ରୋକିବା ପାଇଁ ଏପରି କରାଯାଉଛି। ସୁରକ୍ଷାକର୍ମୀଙ୍କ ଡ୍ରୋନ କ୍ୟାମେରାରେ ଏଭଳି ଚିତ୍ର ଉତ୍ତୋଳନ କରାଯାଇଥିବା ଦେଖିବାକୁ ମିଳିଛି। ଯେଉଁ ଚିତ୍ରରେ ଶହ ଶହ ସଂଖ୍ୟାରେ ମାଓବାଦୀ ଓ ଗ୍ରାମବାସୀ ଉପସ୍ଥିତ ଥିବା ସ୍ୱଷ୍ଟ ଭାବେ ବାରି ହେଉଛି। ତେବେ ଏହି ଚିତ୍ର ୪ଦିନ ପୁରୁଣା ବୋଲି ଜଣାପଡ଼ିଛି। ସଂପୃକ୍ତ ଅଞ୍ଚଳର ସିଆରପିଏଫ, ଏସଟିଏଫ ଓ ଡିଆରଜିର ଯବାନମାନେ ସଡ଼କ ଖନନ କରୁଥିବା ମାଓବାଦୀଙ୍କୁ ଘୋଉଡ଼ାଇଥିଲେ। ଏହି ସମୟରେ ଗୁଳିବିନିମୟ ଘଟି ଜଣେ ମାଓବାଦୀର ମୃତ୍ୟୁ ଘଟିଥିଲା। କିନ୍ତୁ ତା’ର ଶବ ଉଦ୍ଧାର କରାଯାଇନଥିବା ବସ୍ତର ଆଇଜି ସୁନ୍ଦରରାଜ ପି ପ୍ରକାଶ କରିଛନ୍ତି।