ଅଫିସ ପରିସରରେ ବସିପାରିବେନି ଏଜେଣ୍ଟ୍, ଆରଟିଓ ଏଜେଣ୍ଟକୁ ଯଥାସମ୍ଭବ ଥଇଥାନ କର: ହାଇକୋର୍ଟ

  • ଏଜେଣ୍ଟ ସମ୍ପର୍କରେ ୨ ମାସରେ ରିପୋର୍ଟ ଦିଅ

କଟକ,ଏନ୍ଏନ୍ଏସ୍: ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ପରିସରକୁ ଏଜେଣ୍ଟ୍ ମୁକ୍ତ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇ ଏଜେଣ୍ଟ୍ ଉଚ୍ଛେଦ ଆରମ୍ଭ କରିଥିବାବେଳେ ଏହାକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା। ଏଥିରେ ଏଜେଣ୍ଟମାନଙ୍କୁ ଆରଟିଓ ପରିସରରେ ପୂର୍ବପରି ବସିବାକୁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇଥିଲା। ହାଇକୋର୍ଟ ଏପରି ଆବେଦନର ଶୁଣାଣି କରି ଆରଟିଓ ପରିସରରେ ଏଜେଣ୍ଟ୍ ବସିପାରିବେ ନାହିିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ତେବେ ସେମାନଙ୍କୁ ଯଥା ସମ୍ଭବ ଥଇଥାନ କରିବାକୁ ହାଇକୋର୍ଟର ବିଚାରପତି ବିଶ୍ୱନାଥ ରଥ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ପ୍ରସ୍ତାବିତ କିଓସ୍କୋରେ ନିଯୁକ୍ତି ଦେବାକୁ କହିଛନ୍ତି। ସେହିପରି କିଓସ୍କୋରେ ଷ୍ଟୁଡେଣ୍ଟ୍ ଭଲ୍ୟୁଣ୍ଟର୍ସମାନଙ୍କୁ ମଧ୍ୟ ନିଯୁକ୍ତି ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଆର୍ଟିଓରେ କେତେ ସଂଖ୍ୟକ ଏଜେଣ୍ଟ୍ ରହିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ହାଇକୋର୍ଟ ରାଜ୍ୟ ପରିବହନ କମିଶନରଙ୍କୁ କହିଛନ୍ତି। ଏସବୁ ପ୍ରକ୍ରିୟା ଦୁଇ ମାସ ମଧ୍ୟରେ ଶେଷ ହେବା ଉଚିତ୍।

ମାମଲାର ବିବରଣୀ ଅନୁଯାୟୀ କେନ୍ଦ୍ର ସରକାର ମୋଟରଯାନ ଆଇନରେ ସଂଶୋଧନ ଆଣିବା ପରେ ଏହାକୁ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ନିମନ୍ତେ ଜୋରିମାନା ରାଶିକୁ ଦ୍ୱିଗୁଣିତ କରିଥିଲେ। ରାଜ୍ୟ ସରକାର ସଂଶୋଧିତ ମୋଟରଯାନ ଆଇନ ୧୯୮୮କୁ କଡ଼ାକଡ଼ି କରିବା ପରେ ପ୍ରତ୍ୟେକ ଦିନ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତିବିଶେଷଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା। ଏଥିଯୋଗୁଁ ଗାଡ଼ି ଚଳାଉଥିବା ବ୍ୟକ୍ତି ବିଶେଷ ନିଜର ଲାଇସେନ୍ସ ତଥା ଗାଡ଼ି କାଗଜପତ୍ର ଠିକ୍ କରିବାକୁ ତତ୍ପରତା ପ୍ରକାଶ କଲେ। ଫଳରେ ରାଜ୍ୟର ସମସ୍ତ ଆରଟିଓ କାର୍ଯ୍ୟାଳୟରେ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା। ଏପରି ଭିଡ଼ର ଭରପୂର ଫାଇଦା ନେଇ ଏଜେଣ୍ଟ୍ମାନେ ଲାଇସେନ୍ସ୍ ପାଇବାକୁ ଇଚ୍ଛୁକ ଥିବା ବ୍ୟକ୍ତି ବିଶେଷଙ୍କୁ ମନଇଚ୍ଛା ଲୁଟି ଚାଲିଥିଲେ।

ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ପରିବହନ ବିଭାଗ ସଚେତନ ହୋଇଥିଲା। ଗତ ସେପ୍ଟେମ୍ବର ୨୭ ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ରାଜ୍ୟର ସମସ୍ତ ଆର୍ଟିଓ ପରିସରରୁ ଏଜେଣ୍ଟ୍ମାନଙ୍କୁ ଉଚ୍ଛେଦ କରିଥିଲେ। ତେବେ ବିଜ୍ଞପ୍ତି ନମାନି ଆରଟିଓ କାର୍ଯ୍ୟାଳୟରେ ଏଜେଣ୍ଟ୍ମାନେ ପ୍ରବେଶ କରିବାରୁ ସେମାନଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଗିରଫ କରାଯାଇଥିଲା। ଏହା ପରେ ରାଜ୍ୟ ସରକାରଙ୍କ ପୂର୍ବ ବିଜ୍ଞପ୍ତିକୁ ବିରୋଧ କରି ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ପେଟପାଟଣା ଦୃଷ୍ଟିରୁ ସେମାନଙ୍କୁ ଆରଟିଓ ପରିସରରେ ବସିବାକୁ ଅନୁମତି ଦେବାକୁ ପ୍ରାର୍ଥନା କରାଯାଇ ଏପରି ମାମଲା ରୁଜୁ ହୋଇଥିଲା। ମାମଲାର ଶୁଣାଣି ବେଳେ ସେମାନଙ୍କ ଜୀବିକାକୁ ଅଣଦେଖା କରିହେବ ନାହିଁ ବୋଲି ଅଦାଲତ କହିଥିଲେ।