ଚୀନର ମୁକାବିଲା ପାଇଁ ଭାରତଠାରୁ ବ୍ରହ୍ମସ୍ ମିସାଇଲ କିଣିବ ଫିଲିପାଇନ୍ସ

ନୂଆଦିଲ୍ଲୀ,ଏଜେନ୍ସି: ଭାରତରୁ ୩୭୪ ନିୟୁତ ଡଲାର ବିନିମୟରେ ବ୍ରହ୍ମସ ସୁପରସୋନିକ କ୍ରୁଜ ମିସାଇଲ କିଣିବ ଦକ୍ଷିଣ-ପୂର୍ବ ଏସୀୟ ଦେଶ ଫିଲିପାଇନ୍ସ। ବଢିଚାଲିଥିବା ଚୀନ ପ୍ରାଦୁର୍ଭାବର ମୁକାବିଲା କରିବାକୁ ଏହି କ୍ରୁଜ ମିସାଇଲ ବେଶ ପ୍ରଭାବୀ ହୋଇପାରିବ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

ଭାରତ ପରି ଫିଲିପାଇନ୍ସ ସହ ମଧ୍ୟ ଚୀନର ସୀମା ବିବାଦ ରହିଛି। ଭାରତ ସହ ସ୍ଥଳଭାଗରେ ବିବାଦ ଥିବାବେଳେ ଫିଲିପାଇନ୍ସ ସହ ଦକ୍ଷିଣ ଚୀନ ସାଗରରେ ଚୀନର ବିବାଦ ରହିଛି। ଚୀନ ଜାହାଜମାନେ ବାରମ୍ବାର ଫିଲିପାଇନ୍ସର ଜଳସୀମା ଅତିକ୍ରମ କରି ଉପଦ୍ରପ ଚଳାଇଥିବାରୁ ଫିଲିଲାଇନ୍ସ ଚିନ୍ତିତ ରହିଛି। ଚୀନ ଜାହାଜ ଗୁଡ଼ିକର ମୁକାବିଲା କରିବାକୁ ହିଁ ଫିଲିପାଇନ୍ସ ଭାରତଠାରୁ ବ୍ରହ୍ମସର ନାଭାଲ ଭର୍ସନ (ନୌସେନା ସଂସ୍କରଣ) ଖରିଦ କରୁଛି। ଫିଲିପାଇନ୍ସ ପ୍ରଥମ ପର୍ଯ୍ୟାୟରେ ଭାରତଠାରୁ ୩ଟି ବ୍ୟାଟେରୀ ବ୍ରହ୍ମସ ସିଷ୍ଟମ କିଣିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ କେତେକ ବ୍ୟାଟେରୀ ଖରିଦ କରିବାର ସମ୍ଭାବନା ରହିଛି।

କେବଳ ଫିଲିପାଇନ୍ସ ନୁହେଁ, ଇଣ୍ଡୋନେସିଆ, ଭିଏତନାମ ପରି କେତେକ ଦକ୍ଷିଣ-ପୂର୍ବ ଏସୀୟ ଦେଶ ମଧ୍ୟ ବ୍ରହ୍ମସ କିଣିବାକୁ ଯୋଜନା କରୁଛନ୍ତି। ଏସବୁ ଦେଶମାନଙ୍କ ସହ ମଧ୍ୟ ଚୀନର ସୀମା ବିବାଦ ରହିଛି। ସୂଚନାଯୋଗ୍ୟ ଯେ, ବ୍ରହ୍ମସ୍ ହେଉଛି ଭାରତ ଓ ଋଷିଆ ଦ୍ବାରା ମିଳିତ ଭାବେ ବିକଶିତ କରାଯାଇଛି। ଏହାକୁ ବିଶ୍ବର ଅନ୍ୟତମ ଶକ୍ତିଶାଳୀ କ୍ରୁଜ ମିସାଇଲ ବୋଲି କୁହାଯାଉଛି।