ପାରାଦ୍ୱୀପରେ ହେବ ପେଟ୍ରୋକେମିକାଲ କମ୍ପ୍ଲେକ୍ସ, ନିବେଶ ହେବ ୬୧ ହଜାର ୭୭ କୋଟି

ପାରାଦ୍ବୀପ,ଏଜେନ୍ସି: ଜଗତସିଂହପୁର ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପରେ ପ୍ରତିଷ୍ଠା ହେବ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ । ପାରାଦ୍ବୀପ ଠାରେ ଥିବା ଆଇଓସିଏଲରେ ଏହି ପେଟ୍ରୋ କେମିକାଲ କମ୍ପ୍ଲେକ୍ସ ପ୍ରତିଷ୍ଠା ହେବ । ଏନେଇ ୬୧,୦୭୭ କୋଟି ଟଙ୍କା ପୁଞ୍ଜି ନିବେଶ କରିବ ଇଣ୍ଡିଆନ ଅଏଲ କର୍ପୋରେସନ (ଆଇଓସିଏଲ୍‌) । ଆଇଓସିଏଲ ବୋର୍ଡର ପ୍ରଥମ ପର୍ଯ୍ୟାୟ ବୈଠକରେ ଅନୁମୋଦନ ହୋଇଛି । ଏନେଇ ଟ୍ବିଟ କରି ସୂଚନା ଦେଇଛି ଆଇଓସିଏଲ ।

ପାରାଦ୍ବୀପ ଠାରେ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ ନିର୍ମାଣରେ ପ୍ରାଥମିକ ପର୍ଯ୍ୟାୟରେ ୬୧ ହଜାର ୭୭ କୋଟି ଖର୍ଚ୍ଚ ହେବ । ଏହା ବଢି ଆଗାମୀ ଦିନରେ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ଏହି ପ୍ରକଳ୍ପର କାର୍ଯ୍ୟ ୨ ବର୍ଷରୁ ୫ ବର୍ଷ ମଧ୍ୟରେ ଶେଷ ହେବ । ଏହା ପୂର୍ବ ଭାରତର ସର୍ବ ବୃହତ ପ୍ରକଳ୍ପ । ପାରାଦ୍ବୀପରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ଅର୍ଥନୀତିରେ ଏକ ନୂଆ ସମ୍ଭାବନା ସୃଷ୍ଟି ହେବ । ସେହିପରି ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଏହା ବେଶ ସହାୟକ ହୋଇ ପାରିବ । ଇଣ୍ଡିଆନ ଅଏଲ ବୋର୍ଡ ପକ୍ଷରୁ ପାରାଦ୍ବୀପ ଠାରେ ପେଟ୍ରୋ କେମିକାଲ୍ସ କପ୍ଲେକ୍ସ ଆରମ୍ଭ ହେବାକୁ ନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି । ପାରାଦ୍ବୀପରେ ଏହି ପ୍ରକଳ୍ପକୁ ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ ଓ ଏଥିପାଇଁ କ୍ୟାବିନେଟରେ ପ୍ରସ୍ତାବ ରହିଛି ।

ଆଇଓସିଏଲର ଏହି ଟ୍ବିଟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଇଣ୍ଡିଆନ ଅଏଲ ପକ୍ଷରୁ ଓଡ଼ିଶାରେ ବୃହତ ପୁଞ୍ଜି ନିବେଶ କରାଯାଇ ଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ”ପାରାଦ୍ବୀପରେ ପେଟ୍ରୋକେମିକାଲ୍ସ ପାଇଁ ଓଡିଶା କ୍ୟାବିନେଟ ପ୍ରୋତ୍ସାହନ ରାଶିର ଏକ ସ୍ବତନ୍ତ୍ର ପ୍ୟାକେଜ ଅନୁମୋଦନ କରିଛି । ଏହି ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ ଶିଳ୍ପର ବିକାଶରେ ସହାୟକ ହେବ ଏବଂ ଓଡିଶାରେ ନିଯୁକ୍ତି ବୃଦ୍ଧି କରିବ ।”