ଜାୟଡସ କାଡିଲା ଟିକାକୁ ଅନୁମତି

  • ନୂଆଦିଲ୍ଲୀ: କରୋନା ସଂକ୍ରମଣର ତୃତୀୟ ଲହର ପୂର୍ବରୁ ଖୁସି ଖବର ସାମ୍ନାକୁ ଆସିଛି। ଭାରତରେ ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଟ୍ରିପଲ ଡୋଜ କରୋନା ଟିକା ଜାଇକୋଭ-ଡିକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଡିସିଜିଆଇ ପକ୍ଷରୁ ଶୁକ୍ରବାର କମ୍ପାନୀକୁ ଟିକାର ବ୍ୟବହାର ଭାରତରେ କରିବାକୁ ଗ୍ରୀନ ସିଗନାଲ ଦିଆଯାଇଛି।
    ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟିକାକୁ ପ୍ରାପ୍ତ ବୟସ୍କଙ୍କ ସହ ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ବର୍ଷର ପିଲାମାନେ ବି ନେଇପାରିବେ। ଏହାର ଅର୍ଥ ଭାରତରେ ୧୮ ବର୍ଷରୁ କମ ବୟସ୍କ ପିଲାଙ୍କ ପାଇଁ ଜାଇକୋଭ-ଡି ପ୍ରଥମ କରୋନା ଟିକା। ସେହିପରି ବିଶ୍ୱର ପ୍ରଥମ ଡିଏନଏଭିତ୍ତିକ କରୋନା ଟିକା ହେଉଛି ଜାଇକୋଭ-ଡି। ଏହା ସମ୍ପୂର୍ଣ୍ଣଭାବେ ଭାରତୀୟ ଜ୍ଞାନକୌଶଳରେ ତିଆରି କରାଯାଇଛି। କମ୍ପାନୀ ବର୍ଷକୁ ୧୦୦ରୁ ୩୦୦ ମିଲିୟନ ଡୋଜର ଜାଇକୋଭ-ଡି ଉତ୍ପାଦନ କରିବ। କାଡିଲା ହେଲଥ କେୟାର ଲିଃ ପକ୍ଷରୁ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆବେଦନ କରାଯାଇଥିଲା। ଏହା କରୋନା ବିରୋଧରେ ପ୍ରାଥମିକସ୍ତରରେ ୬୬.୬% ଫଳପ୍ରଦ ବୋଲି ଜଣାପଡ଼ିଛି।
    ଭାରତ ସରକାରଙ୍କ ‘ମିଶନ କୋଭିଡ ସୁରକ୍ଷା’ ଅଧୀନରେ ଜାୟଡସ କାଡିଲା ସହ ମିଶି ବାୟୋଟେକ୍ନୋଲଜି ବିଭାଗ ଏହି ଟିକାକୁ ପ୍ରସ୍ତୁତ କରିଛି। ଡିସିଜିଆଇ ପକ୍ଷରୁ କୁହାଯାଇଛି ଯେ, ଜାଇକୋଭ-ଡି ବିଶ୍ୱର ପ୍ରଥମ ଓ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଥିବା ଡିଏନଏଭିତ୍ତିକ କୋଭିଡ-୧୯ ଟିକା। ଏହାକୁ ୧୨ ବର୍ଷ ବୟସ୍କ ଛୋଟ ପିଲା କିମ୍ବା ତା’ରୁ ଅଧିକ ବୟସ୍କ ଓ ପ୍ରାପ୍ତ ବୟସ୍କଙ୍କୁ ଦିଆଯାଇପାରିବ।
    ବାୟୋଟେକ୍ନୋଲଜି ବିଭାଗର ସଚିବ ରେଣୁ ସ୍ୱରୂପ କହିଛନ୍ତି, ସ୍ୱଦେଶୀ ଜ୍ଞାନକୌଶଳରେ ଟିକା ନିର୍ମାଣ ପାଇଁ ଚାଲିଥିବା ମିଶନରେ ଏହା ଏକ ଐତିହାସିକ ପଦକ୍ଷେପ। ଏହା ବିଶ୍ୱ ଟିକା ମାନଚିତ୍ରରେ ଭାରତକୁ ସ୍ୱତନ୍ତ୍ର ପରିଚୟ ଦେବ। ଏହା ଦେଶରେ ଗେମ ଚେଞ୍ଜର ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି। ଦେଶରେ ୬ଷ୍ଠ ଟିକାଭାବେ ଜାୟଡସ କାଡିଲାକୁ ଅନୁମତି ମିଳିଛି। ଏହାପୂର୍ବରୁ କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ-ଭି, ମଡର୍ଣ୍ଣା ଓ ଜନସନ ଆଣ୍ଡ ଜନସନ ଟିକାର ବ୍ୟବହାରକୁ ଅନୁମତି ମିଳିଥିଲା। ଜନସନ ଆଣ୍ଡ ଜନସନ ସିଙ୍ଗଲ ଡୋଜ ଟିକା ହୋଇଥିବା ବେଳେ କୋଭିସିଲ୍ଡ, କୋଭାକ୍ସିନ, ସ୍ପୁଟନିକ-ଭି, ମଡର୍ଣ୍ଣା କମ୍ପାନୀର ଟିକା ଡବଲ ଡୋଜ। ଜାୟଡସ କାଡିଲା ହେଉଛି ଟ୍ରିପଲ ଡୋଜ ଟିକା।
    ଜୁଲାଇ ୧ରେ ଜାୟଡସ କାଡିଲା ନିଜ ଟିକାରର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଲୋଡ଼ିଥିଲା। ଟିକାର ଟ୍ରାଏଲ ୨୮ ହଜାର ଲୋକଙ୍କ ଉପରେ କରାଯାଇଥିଲା। ଟ୍ରାଏଲରୁ କରୋନାର ସବୁ ପ୍ରକାରର ଭାରିଏଣ୍ଟକୁ ରୋକିବାରେ ଏହି ଟିକା ଫଳପ୍ରଦ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଜାୟଡସ କାଡିଲା ପ୍ରସ୍ତୁତ କରିଥିବା ଟ୍ରିପଲ ଡୋଜବିଶିଷ୍ଟ ଟିକା ଜାଇକୋଭ-ଡିର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେବାକୁ ସିଡିଏସଓର ସବଜେକ୍ଟ ଏକ୍ସପର୍ଟ କମିଟି(ଏସଇସି) ପ୍ରସ୍ତାବ ଦେଇଥିଲା। ଟ୍ରିପଲ ଡୋଜର ଅର୍ଥ ବୁଷ୍ଟର ଡୋଜ ନୁହେଁ। କୋଭାକ୍ସିନ କିମ୍ବା କୋଭିସିଲ୍ଡର ଦୁଇଟି ଡୋଜ ନେବା ପରେ ଯେମିତି ଜଣେ ପୂର୍ଣ୍ଣ ଟିକାକରଣର ମାନ୍ୟତା ପାଉଥିଲେ, ଏବେ ଜାଇକୋଭ-ଡିର ୩ଟି ଡୋଜ ନେବା ପରେ ପୂର୍ଣ୍ଣ ଟିକାକରଣର ମାନ୍ୟତା ମିଳିବ। ଜାଇକୋଭ-ଡି ଟିକା ନେବାବେଳେ କୌଣସି ଛୁଞ୍ଚିର ବ୍ୟବହାର ହେବନି। ତେଣୁ ଏହା ଟିକା ନେବା ପରେ ସୃଷ୍ଟି ହେଉଥିବା ପାର୍ଶ୍ୱପ୍ରତିକ୍ରିୟାକୁ ହ୍ରାସ କରିପାରିବ ବୋଲି କୁହାଯାଉଛି।