୩୯ନଂ ଜୋନ୍‌ରେ ଶାନ୍ତିପୂର୍ଣ୍ଣ ମତଗଣନା, ବିଜେଡ଼ି ଜିଲ୍ଲାପରିଷଦ ପ୍ରାର୍ଥୀ, ସରପଞ୍ଚ ଓ ସମିତିସଭ୍ୟ ଆଗରେ

କୁଆଁପାଳ,ଏନ୍‌ଏନ୍‌ଏସ୍‌: ମାହାଙ୍ଗା ବ୍ଲକ୍ ୩୯ ନମ୍ବର ଜିଲ୍ଲା ପରିଷଦ ଜୋନ୍ ଅନ୍ତର୍ଗତ ୯ଟି ପଞ୍ଚାୟତ ପାଇଁ ଆଜି ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗଣତି ଅପରାହ୍ନ ୫ଟା ସୁଦ୍ଧା ମାତ୍ର ୬ ରାଉଣ୍ଡ ସମାପ୍ତ ହୋଇଛି। ବିଜେଡ଼ିରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଥିବା ରିଆଜୁଲ ହୋଦା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ପ୍ରତିମା ବାରିକଙ୍କ ଠାରୁ ୫ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଆଗରେ ରହିଥିବା ବେଳେ, କଂଗ୍ରେସ ସମର୍ଥିତ ପ୍ରାର୍ଥୀ ସରୋଜ କୁମାର ପରିଡ଼ା ତୃତୀୟ ସ୍ଥାନରେ ଥିବା ସୂଚନା ମିଳିଛି।

କଇଥା, ସମସରପୁର, ବାଜପୁରା, କୁଣ୍ଡି, ସାହାପୁର, ମଧୁପୁର, ବାସୁଦେବପୁର, କୋଳିଅଠା ଏବଂ ମୂଳବସନ୍ତ ଭଳି ୯ଟି ପଞ୍ଚାୟତରୁ ସରପଞ୍ଚ ଓ ସମିତିସଭ୍ୟ, ଗୋଟିଏ ଗୋଟିଏ ପଞ୍ଚାୟତରେ ବିଜେପି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ଦବଦବା ଥିବା ସୂଚନା ମିଳିଛି। ମତଗଣନାର ଚୂଡ଼ାନ୍ତ ପର୍ଯ୍ୟାୟରେ ଚିତ୍ର ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି। ବ୍ୟାପକ ପୁଲିସ ମୁତୟନ ଭିତରେ ୧୦ଟି ଟେବୁଲରେ ଏହି ମତଗଣନା ଜାରି ରହିଛି।

ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେହୁରା ମତଦାନ କେନ୍ଦ୍ରରେ ଡେରା ପକାଇ ରହିଛନ୍ତି। ବ୍ଲକ୍ ଓ ତହସିଲ୍ ପ୍ରଶାସନ ଏହି ଭୋଟ ଗଣତି ପ୍ରକ୍ରିୟାରେ ସାମିଲ ଥିବା ଦେଖିବାକୁ ମିଳୁଛି। ପ୍ରାର୍ଥୀମାନଙ୍କ ସମର୍ଥକମାନେ ଚୂଡ଼ାନ୍ତ ଫଳାଫଳକୁ ଉତ୍କଣ୍ଠାର ସହ ଚାହିଁ ବସିଛନ୍ତି। ରାତି ୧୨ଟା ସୁଦ୍ଧା ୩୯ ନମ୍ବର ଜୋନ୍ ପାଇଁ ଚୂଡ଼ାନ୍ତ ଫଳ ଆସିବାର ସମ୍ଭାବନା ରହିଛି। ୬ଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡ଼ି – ୫୩୭୦ ଭୋଟରେ ଆଗୁଆ ରହିଛି ବୋଲି ସୂଚନା ମିଳିଥିଲା ବେଳେ ବିଜେଡ଼ିକୁ ୮୫୨୪, ବିଜେପିକୁ ୩୧୫୪, କଂଗ୍ରେସକୁ ୧୮୨୪ ଖଣ୍ଡ ଭୋଟ ମିଳିଛି।