ପାଟଣା,ଏନ୍ଏନ୍ଏସ୍: ବ୍ୟାପକ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର। ଦୀର୍ଘ ଦିନ ଧରି ଡାକ୍ତର ପଦବୀ ଖାଲି ପଡି ରହିଥିବା ବେଳେ ଏବେ ରୋଗୀଙ୍କୁ ଖାଦ୍ୟ ମିଳୁ ନଥିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି। ଦୀର୍ଘ ୫ ଦିନ ହେବ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଡ଼ମିସନ୍ ହୋଇଥିବା ରୋଗୀଙ୍କୁ ଖାଦ୍ୟ ନ ମିଳିବାରୁ ଭୋକ ଉପାସରେ ରହିଛନ୍ତି ରୋଗୀ। ଘଟଣା ସମ୍ପର୍କରେରେ ମେଡିକାଲ କର୍ତ୍ତୃପକ୍ଷଙ୍କ ମତାମତ ନେବାରୁ କିଛି ଦିନ ପୂର୍ବରୁ ରୋଗୀଙ୍କୁ ଖାଦ୍ୟ ଯୋଗାଇବାକୁ ଟେଣ୍ଡର ନେଇଥିବା ସମ୍ପୃକ୍ତ ସଂସ୍ଥାର ଟେଣ୍ଡର ଅବଧି ସରି ଯାଇଥିବାରୁ ଏଭଳି ସମସ୍ୟା ଦେଖା ଦେଇଥିବା କହିଛନ୍ତି।
ଅନ୍ୟପଟେ ଘଟଣା ସମ୍ପର୍କରେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ତାଗିଦ କରିଛନ୍ତି। ଗୋଟେ ପଟେ ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ନହେଲେ ଆନ୍ଦୋଳନ ହେବ ବୋଲି ପାଟଣା ଜନସାଧାରଣ ଚେତାବନୀ ଦେଇଛନ୍ତି। ସେହିପରି ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀମାନଙ୍କୁ ଖାଦ୍ୟ ଦିଆନଯିବା ବିଡ଼ମ୍ବନାର ବିଷୟ।
ମେଡିକାଲ କର୍ତ୍ତୃପକ୍ଷ ଟେଣ୍ଡର ଅବଧି ସରିଯିବାର ଆଳ ଦେଖାଇ ରୋଗୀଙ୍କ ସହ ଖେଳ ଖେଳୁଥିବା ଅଭିଯୋଗ ହେଉଛି। ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବା ସହ ରୋଗୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଦାବି ହୋଇଛି।