ପାଟଣା ବ୍ଲକ ଅଧକ୍ଷ ଉପନିର୍ବାଚନ: ଡିସେମ୍ବର୧୮ରେ ବିଜ୍ଞପ୍ତି ଜାରି

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲା ପାଟଣା ବ୍ଲକ ଅଧକ୍ଷ ପଦ ପାଇଁ ଆସନ୍ତା ଡିସେମ୍ବର ମାସ ୧୮ ତାରିଖରେ ନିର୍ବାଚନ ହେବା ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ କମିଶନ। ଦୀର୍ଘ ୬ ମାସ ସମୟ ଖାଲି ପଡିବା ପରେ ରାଜ୍ୟ ନିର୍ବାଚନ କମିଶନ ତରଫରୁ ଉପନିର୍ବାଚନ ସକାଶେ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି। ପାଟଣା ବ୍ଲକର ଅଧକ୍ଷ ପଦବୀ ପାଇଁ ଉପନିର୍ବାଚନ ଆସନ୍ତା ଡିସେମ୍ବର ୧୮ ତାରିଖ ଅନୁଷ୍ଠିତ ହେବ। ଏଥି ନେଇ ପାଟଣା ବିଡ଼ିଓ ଓ ନିର୍ବାଚନ ଅଧିକାରୀ ଈଶ୍ୱରଚନ୍ଦ୍ର ନାଏକ ମଙ୍ଗଳବାର ନୋଟିସ ଜାରି କରିଛନ୍ତି।

ନିର୍ବାଚନ ଡିସେମ୍ବର୧୮ତାରିଖ ୧୨.୩୦ମିନିଟରୁ ୨ଟା ମଧ୍ୟରେ ଅନୁଷ୍ଠିତ ହେବ। ପାଟଣା ବ୍ଲକର ମୋଟ ୨୦ଜଣ ସମିତି ସଭ୍ୟଙ୍କ ମଧ୍ୟରୁ କଣ୍ଟିଆ ପଡା ସମିତି ସଭ୍ୟ ଜଗନ୍ନାଥ ନାଏକ ପାଟଣା ବିଧାୟକ ଭାବେ ମେ ୨୩ ରେ ନିର୍ବାଚିତ ହୋଇଥିବାରୁ ଉକ୍ତପଞ୍ଚାୟତ ସମିତି ସଭ୍ୟ ପଦ ଖାଲିପଡିଛି। ଏଣୁ ୧୯ ଜଣ ସମିତି ସଭ୍ୟଙ୍କୁ ନେଇ ନିର୍ବାଚନ ଅନୁଷ୍ଠିତ ହେବ। ଗତ ମେ ମାସ ୨୩ ତାରିଖରେ ପାଟଣା ବିଧାନସଭା ଫଳାଫଳ ଘୋଷଣା ହେବା ପରେ କଣ୍ଟିଆପଡା ପଞ୍ଚାୟତ ସମିତି ସଭ୍ୟ ତଥା ତତ୍କାଳୀନ ପାଟଣା ବ୍ଲକ ଅଧକ୍ଷ ଜଗନ୍ନାଥ ନାଏକ ପାଟଣା ବିଧାୟକ ହେବା ପରେ ବ୍ଲକ ଅଧକ୍ଷ ପଦବୀ ରେ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା ରହିଥିଲେ।

ଏନେଇ ପାଟଣା ବ୍ଲକ ର ୨୦ ଟି ପଞ୍ଚାୟତ ମଧ୍ୟରୁ କଣ୍ଟିଆପଡା ସମିତି ସଭ୍ୟ ପଦବୀ ଖାଲିପଡି ଥିବାରୁ ବାକି ୧୯ ଜଣ ସମିତି ସଭ୍ୟଙ୍କୁ ନେଇ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ପାଟଣା ବିଡ଼ିଓ ଈଶ୍ୱର ଚନ୍ଦ୍ର ନାଏକ ସୁଚନା ଦେଇଛନ୍ତି। ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ପାଟଣା ରାଜନୀତିରେ ଅଙ୍କକଷା ଆରମ୍ଭ ହୋଇଯାଇଛି। ଏକାଧିକ ଅଧ୍ୟକ୍ଷ ପଦ ଦାବିଦାର ଥିବାରୁ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସୁକୁତା ଦେଖିବାକୁ ମିଳିଛି।