ବନ୍ୟାପରେ ବ୍ୟାପିଲା ମହାମାରୀ: ପାଟନାରେ ୪୦୦ ଡେଙ୍ଗୁରୋଗୀ ଚିହ୍ନଟ

ପାଟନା: ବନ୍ୟା ଦାଉରେ ଅତିଷ୍ଠ ପାଟନାକୁ ଏବେ ମହାମାରୀ ଡେଙ୍ଗୁ ଗ୍ରାସ କଲାଣି। ପାଟନା ବନ୍ୟା ଏବେ ଅଷ୍ଟମ ଦିନରେ ପହଞ୍ଚିଥିବା ବେଳେ ୪୦୦ରୁ ଅଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଛନ୍ତି। ବର୍ଷାପାଣିରେ ଗୋରୁଗାଈ, କୁକୁର, ବିଲେଇ, ଛେଳିମେଣ୍ଢା, ପାରା, କୁଆ ପ୍ରଭୃତି ପଶୁପକ୍ଷୀଙ୍କ ମଳମୂତ୍ର ସମେତ ଯାବତୀୟ ଅଳିଆ ଆବର୍ଜନା ମିଶିବା ଫଳରେ ପରିସ୍ଥିତି ଜଟିଳ ଆଡ଼କୁ ଗତି କରିଛି।

ପାଟନାରେ ଦିନକୁ ଦିନ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସାତଦିନରୁ ଅଧିକ ଦିନ ଧରି ପ୍ରଦୂଷିତ ପାଣି ଅଟକି ରହିଛି। ଲୋକଙ୍କ ପାଖରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିବା ସାତସପନ ହୋଇଛି। ପାଣିକଳରେ ମଧ୍ୟ ଗୋଳିଆ ପାଣି ଆସୁଛି। ସବୁ ଇଲାକାକୁ ବିଜୁଳି ସଂଯୋଗ କରାଯାଇନି। ସରକାରୀ ଅବ୍ୟବସ୍ଥାକୁ ପ୍ରତିବାଦ କରି ଶନିବାର ପାଟନାର ଦାନାପୁର ଅଞ୍ଚଳରେ ଶତାଧିକ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନମାନ ଦେଇଥିଲେ।

ପାଟନା ମ୍ୟୁନିସିପାଲ କର୍ପୋରେସନ୍ ଓ ସରକାରଙ୍କ ଅନ୍ୟାନ୍ୟ ବିଭାଗଗୁଡ଼ିକ କଲୋନୀ ଓ ଆପାର୍ଟମେଣ୍ଟରେ ପମ୍ପ ଲଗାଇ ବର୍ଷାପାଣି କାଢ଼ିବା ପାଇଁ ଉଦ୍ୟମ କରୁନାହାନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଲୋକମାନଙ୍କୁ ଆନ୍ଦୋଳନରୁ କ୍ଷାନ୍ତ ରହିବା ପାଇଁ ଅନୁରୋଧ କରିଥିଲା। ଗତ ତିନିଦିନ ଧରି ପାଟନାର ବିଭିନ୍ନ ଅଞ୍ଚଳରେ ଲୋକମାନେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ସତ୍ତେ୍ୱ ସରକାରୀ ଅଧିକାରୀମାନଙ୍କ ଉପରେ ତା’ର ପ୍ରଭାବ ପଡ଼ୁନି।

ସରକାରୀ ଅଧିକାରୀଙ୍କ ମତରେ ପାଟନାର ରାଜେନ୍ଦ୍ରନଗର, କଙ୍କରବାଗ ଓ କାଦାମକୁଆଁ ଅଞ୍ଚଳରେ ୩/୪ ଫୁଟ ଉଚ୍ଚର ପାଣି ଜମିରହିଛି। ଇତିମଧ୍ୟରେ ପାଟନାରେ ଫଳ, ପନିପରିବା ଦର ଆକାଶଛୁଆଁ ହୋଇଛି। ଅଦ୍ୟାବଧି ପାଟନାରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୭୩ରେ ପହଞ୍ôଚଛି।