ପାଟଣା ପ୍ରତି ପ୍ରଶାସନର କ୍ରମାଗତ ଅବହେଳାର ପ୍ରତିବାଦ

ପାଟଣା,ଏନ୍ଏନ୍ଏସ୍:  ହାଇକୋର୍ଟଙ୍କ ଦ୍ୱାରା ପ୍ରକାଶିତ ଚିଠିରୁ ଜଣାପଡ଼ିଛି ଯେ ଓଡ଼ିଶାରେ ନୂତନ ଭାବେ ୬୫ ଟି ଜେଏମଏଫସି କୋର୍ଟ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଯାଇଛି। ସେଥିମଧ୍ୟରୁ ପାଞ୍ଚଟି କେନ୍ଦୁଝର ଜିଲ୍ଲାର ତେଲକୋଇ, ହାଟଡ଼ିହି, ବଡ଼ବିଲ(ଦ୍ୱିତୀୟ), ଘଟଗାଁ ଓ ହରିଚନ୍ଦନ ପୁରଠାରେ ପ୍ରତିଷ୍ଠା ହେବ ।  ଏହା  ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବାବେଳେ ଦୀର୍ଘଦିନରୁ ଦାବି ହୋଇଆସୁଥିବା ପାଟଣା ପ୍ରତି ଅଣଦେଖା କରାଯାଇଛି।  ହରିଚନ୍ଦନପୁର ଓ ଘଟଗାଁର ଦୂରତା ୧୫ କି.ମି ହୋଇଥିଲାବେଳେ ସେଠାରେ ଦୁଇ ଦୁଇଟି ଜେଏମଏଫସି କୋର୍ଟ ପ୍ରତିଷ୍ଠାର ନିଷ୍ପତ୍ତି ନିଆଯାଇଛି । ଅଥଚ ପାଟଣା ନିର୍ବାଚନମଣ୍ଡଳୀର ସାହାରପଡା ବ୍ଲକ ମୁଖ୍ୟାଳୟ ଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟରେ ଅବସ୍ଥିତ କୋର୍ଟର ଦୂରତା ୭୦ କି ମି, ସେହିପରି ସାହାରପଡ଼ା ବ୍ଲକର ମୟୁରଭଞ୍ଜ ସିମାବର୍ତ୍ତୀ ମାଛଗଡ଼ରୁ ଦୂରତା ୮୫ରୁ ୯୦ କି.ମି ଏବଂ ପାଟଣା ମୁଖ୍ୟାଳୟଠାରୁ ଦୂରତା ୪୬ କି. ମି ହୋଇଥିଲେ ମଧ୍ୟ ପାଟଣାରେ କୋର୍ଟ ପ୍ରତିଷ୍ଠାର ନିଷ୍ପତ୍ତି ନିଆଯାଇନାହିଁ।  ପାଟଣା ନିର୍ବାଚନମଣ୍ଡଳୀ ପ୍ରତି ଶାସକ ଗୋଷ୍ଠୀର ଆଞ୍ଚଳିକ ବୈଷ୍ୟମତା ମନୋଭାବ ଏବଂ ପ୍ରଶାସନର ଅବହେଳାକୁ ପାଟଣା ନିର୍ବାଚନମଣ୍ଡଳୀର କଂଗ୍ରେସର ବିଧାୟକ ପ୍ରାର୍ଥୀ ବିନୋଦ ବିହାରୀ ନାଏକ କଡ଼ା ନିନ୍ଦା କରିଛନ୍ତି। ଆଗାମୀ ଦିନରେ ପାଟଣା ମାଟି ପ୍ରତି ହୋଇଆସୁଥିବା ଅବହେଳା ପ୍ରତିବାଦରେ ବୁଦ୍ଧିଜୀବୀ, ଜନସାଧାରଣ ଏବଂ ସମସ୍ତ ରାଜନୈତିକ ନେତୃବୃନ୍ଦଙ୍କୁ ସାଥିରେ ନେଇ ସେ ପାଟଣା ମାଟିର ହକ ପାଇଁ ଲଢ଼େଇ କରିବାକୁ ଚେତାବନୀ ଦେଇଛନ୍ତି।