ପରୀ ହତ୍ୟାକାଣ୍ଡ ତଦନ୍ତ ଭାର ସିବିଆଇକୁ ଦିଆଯାଉ: ସ୍ମୃତି ପଟ୍ଟନାୟକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ପରୀ ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନୁହେଁ ବରଂ ସିବିଆଇକୁ ହସ୍ତାନ୍ତର କରାଯାଉ। ଆଜି ରାଜ୍ୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ସରକାରଙ୍କ ଆଗରେ ଏଭଳି ଦାବି ରଖିଛନ୍ତି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ। ସେ କହିଛନ୍ତି ଯେ କ୍ରାଇମବ୍ରାଞ୍ଚ ତଦନ୍ତ ହେଲେ ସମୟ ଗଡ଼ିଚାଲିବ ଏବଂ ଦୋଷୀ ଦଣ୍ଡ ପାଇବାରୁ ବଞ୍ଚିତ ହେବେ। ଏହି ତଦନ୍ତକାରୀ ସଂସ୍ଥାର ରିପୋର୍ଟକୁ ଅପେକ୍ଷା କରିବାର ଅର୍ଥ ହେଉଛି ପର୍ବତ ମୂଷିକ ପ୍ରସବ ସଦୃଶ୍ୟ।

ପୂର୍ବରୁ ବେବିନା ଗଣଦୁଷ୍କର୍ମ, ଇତିଶ୍ରୀ, କୁନ୍ଦୁଲି, ସ୍ମିତାରାଣୀ ହତ୍ୟା ଆଦି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେବା ପରେ ବି ଦୋଷୀ ଦଣ୍ଡ ପାଇନାହାଁନ୍ତି। ବରଂ କ୍ରାଇମବ୍ରାଞ୍ଚ ତଦନ୍ତ ଦ୍ୱାରା ପ୍ରମାଣ ନଷ୍ଟ କରାଯାଇ ଦୋଷୀମାନଙ୍କୁ ସୁରକ୍ଷା ଦିଆଯିବାର ପୂର୍ବରୁ ନଜିର ରହିଛି। ଏହି ତଦନ୍ତ ଦ୍ୱାରା ବିଜେଡିର ତୁଙ୍ଗ ନେତା ମାନେ ଗିରଫ ହେବାରୁ ବର୍ତ୍ତିି ଯାଇଛନ୍ତି। ଏଣୁ ପରୀକୁ ନ୍ୟାୟ ନମିଳିବା ଯାଏଁ ବିଜେପି ମହିଳା ମୋର୍ଚ୍ଚା ଚୁପ୍ ରହିବନି। ପରୀକୁ ନ୍ୟାୟ ଦେବା ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବିରେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀମତୀ ପଟ୍ଟନାୟକ ଚେତାବନୀ ଦେଇଛନ୍ତି।

ପରୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବାବୁଲି ନାଏକ ବିଜେଡି କର୍ମୀ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ଘନିଷ୍ଠ ହୋଇଥିବା ଯୋଗୁଁ ପୋଲିସ ଏପର୍ଯ୍ୟନ୍ତ ତାକୁ ଗିରଫ କରିନାହିଁ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ଘଟଣାରେ ହସ୍ତକ୍ଷେପ କରି ମନ୍ତ୍ରୀ ଅରୁଣ ସାହୁଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ। ଅଭିଯୁକ୍ତ ଏବଂ ତା’ର ସହଯୋଗୀ ଏବେ ଶାସକ ଦଳର ଛତ୍ରଛାୟା ତଳେ ଖୁଲମଖୁଲା ବୁଲୁଛି। ଘଟଣାରେ ମନ୍ତ୍ରୀଙ୍କ ସଂପୃକ୍ତି ଥିବାରୁ କ୍ରାଇମବ୍ରାଞ୍ଚ ମଧ୍ୟ ପୁଲିସ ଭଳି ଅଭିଯୁକ୍ତମାନଙ୍କୁ କ୍ଲିନଚିଟ୍ ଦେବାର ସମ୍ଭାବନା ରହିଛି। ଏଣୁ ପରୀକୁ ନ୍ୟାୟ ଦେବା ପାଇଁ ଘଟଣାର ସିବିଆଇ ତଦନ୍ତ କରାଯାଉ। କର୍ତ୍ତବ୍ୟରେ ଅବହେଳା ଏବଂ କ୍ଷମତାର ଅପବ୍ୟବହାର କରିଥିବାରୁ ନୟାଗଡ ଏସପି ଏବଂ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି।