ବାଲିଗୁଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲାରେ ଶିକ୍ଷକ ଆନ୍ଦୋଳନ ଆଜି ୧୦ ଦିନରେ ପହଞ୍ଚିଛି । ଫଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଠପ୍ ହୋଇଯାଇଛି । ସରକାର ଶିକ୍ଷକଙ୍କ ଦାବୀ ପୂରଣ ନକରିବା ପର୍ଯ୍ୟନ୍ତ ଶିକ୍ଷକ ଆନ୍ଦୋଳନ ଜାରି ରଖିବେ ବୋଲି ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଅନ୍ୟପଟେ ଶିକ୍ଷକଙ୍କୁ ସମର୍ଥନ କରିବା ପାଇଁ ବାଲିଗୁଡ଼ା ବ୍ଲକର ଅଭିଭାବକ ସଂଘ ରାସ୍ତାକୁ ଓହ୍ଲାଇଛନ୍ତି । ୩ ଦଫା ଦାବୀ ପୂରଣ ନହେଲେ ଅଭିଭାବକ ଓ ଶିକ୍ଷକ ମିଶି ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିରେ ବାଲିଗୁଡ଼ା ବ୍ଲକର ୫୦୦ରୁ ଅଧିକ ପ୍ରାଥମିକ ଶିକ୍ଷକ ସାମିଲ ହୋଇଛନ୍ତି । ଜିଲ୍ଲାରେ ୧,୬୦୦ ସ୍କୁଲରେ ତାଲା ପଡ଼ିଛି । ୩ ଦଫା ଦାବୀ ପ୍ରଥମେ ଧାରଣା ଓ ପରେ ସମୂହ ଛୁଟିରେ ରହି ଜିଲ୍ଲାର ପ୍ରାୟ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରୁଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତ୍ୟେକ ବ୍ଲକ ଶିକ୍ଷାଧିକାରୀଙ୍କ ଅଫିସ ଆଗରେ ଧାରଣା ଦେଉଛନ୍ତି । ଅଭିଭାବକ ମହାସଂଘ ଡାକରାରେ ସୋମବାରଠାରୁ ବାଲିଗଡ଼ା ବ୍ଲକର ପ୍ରାୟ ୧୦ରୁ ଅଧିକ ବିଦ୍ୟାଳୟ ସମ୍ମୁଖରେ ଅଭିଭାବକମାନେ ଧାରଣାରେ ବସିଥିବାବେଳେ ଦଣ୍ଡପଦର ନିକଟସ୍ଥ କର୍ଣ୍ଣାଟପୁରସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ସେଠାରେ ବିଦ୍ୟାଳୟର ଅଭିଭାବକ ସଂଘ ତରଫରୁ ଲତା ମଲ୍ଲିକ, ଧବଳେଶ୍ୱର ନାୟକ, ବିରାଜ ନାୟକ, ପ୍ରତିଭା ପ୍ରଧାନ, ନରସିଂହ ଦିଗାଲ, ଶିବ ଦିଗାଲ, ଅର୍ଜୁନ ମଲ୍ଲିକ ଓ ମାଳତୀ ମଲ୍ଲିକ ସମେତ ୩୦ରୁ ଅଧିକ ଅଭିଭାବକ ଧାରଣା ଦେଇଛନ୍ତି । ସରକାର ଆଲୋଚନା ନକରି ସମାଧାନର ବାଟ ବାହାର ନ କଲେ ଆନ୍ଦୋଳନ ତୀବ୍ରତର କରିବାକୁ ମହାସଂଘ ପକ୍ଷରୁ ଚନ୍ଦ୍ରଭାନୁ ଭୋଇ, ସୁରେନ ଦାସ, ସନାତନ ପରିଚ୍ଛା, ପ୍ରକାଶ ମହାରଣା, ଦିବାକର ବେହେରା, ପୀତବାସ ନାୟକ, ସୁଦୀପ୍ତା ମହାପାତ୍ର, ଇପ୍ସିତା ସାମନ୍ତରାୟ, ମନୋଜ ନାୟକ, ସଞ୍ଜୀବ ପଟ୍ଟନାୟକ, କୀର୍ତ୍ତି କୁମାର ବରାଳ, ରଞ୍ଜନ ପାଣିଗ୍ରାହୀ ଓ ସୁରେଶ କୁମାର ଦାସ ପ୍ରମୁଖ ଚେତାବନୀ ଦେଇଛନ୍ତି ।