ସାଧାରଣତନ୍ତ୍ର ଦିବସ ପରେଡ : ପ୍ରଥମଥର ସାମିଲ ହେବ ଲଦାଖର ପ୍ରଜ୍ଞାପନ ମେଢ

ନୂଆଦିଲ୍ଲୀ,ଏଜେନ୍ସି: ଜାନୁଆରୀ ୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବାକୁ ଥିବା ପରେଡରେ ଏବର୍ଷ ପ୍ରଥମ ଥର ପାଇଁ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିବ। ଲେହ୍ ଜିଲ୍ଲାର ଥିକସେ ପର୍ବତ ଉପରେ ଅବସ୍ଥିତ ଏକ ବୌଦ୍ଧସ୍ତୂପକୁ ଏହି ପ୍ରଜ୍ଞାପନ ମେଢରେ ସ୍ଥାନିତ କରାଯାଇଛି। ଏହାବ୍ୟତୀତ ଲେହ୍ ନିକଟସ୍ଥ ହାନଲେଠାରେ ଥିବା ଏକ ମହାକାଶ ପର୍ଯ୍ୟବେକ୍ଷଣ କେନ୍ଦ୍ରକୁ ମଧ୍ୟ ସ୍ଥାନିତ କରାଯାଇଛି। ଲଦାଖ ଯାଉଥିବା ପର୍ଯ୍ୟଟକମାନେ ଏହି ଦୁଇଟି ସ୍ଥାନ ନିଶ୍ଚିତଭାବେ ପରିଦର୍ଶନ କରିଥାନ୍ତି। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଏକ ଆଇନ ବଳରେ ଜମ୍ମୁ-କଶ୍ମୀର ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିବା ସହ ସେଠାରୁ ଧାରା ୩୭୦ ଓ ୩୫(କ)କୁ ଉଚ୍ଛେଦ କରିଛନ୍ତି। ତଦନୁଯାୟୀ ଜମ୍ମୁ-କଶ୍ମୀର ଓ ଲଦାଖ ବର୍ତ୍ତମାନ କେନ୍ଦ୍ରଶାସିତ ଅଞ୍ଚଳଭାବେ ମାନ୍ୟତାଲାଭ କରୁଛି। କୋଭିଡ୍ ଯୋଗୁଁ ଚଳିତବର୍ଷର ପରେଡକୁ ଯଥାସମ୍ଭବ ସଂକ୍ଷିପ୍ତ କରାଯାଇଛି। ପରେଡର ସମୟସୀମା ଓ ଦୂରତ୍ୱ ହ୍ରାସ ପାଇଥିବାବେଳେ ଅଂଶଗ୍ରହଣକାରୀ ଦଳ ସଂଖ୍ୟାକୁ ମଧ୍ୟ କାଣ୍ଟଛାଣ୍ଟ୍ କରାଯାଇଛି। ଏବର୍ଷ କୌଣସି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ମୁଖ୍ୟଅତିଥି ଆସନରେ ଦେଖିବାକୁ ମିଳିବ ନାହିଁ। ଏହାସତ୍ତେ୍ୱ ଭାରତ ଏହି ପରେଡ୍ ଜରିଆରେ ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବାକୁ ପଛଘୁଞ୍ଚା ଦେବ ନାହିଁ। ପରେଡରେ ପିନାକ୍ ମଲଟି ବ୍ୟାରେଲ ରକେଟ ସିଷ୍ଟମଠାରୁ ଆରମ୍ଭ କରି ଟି-୯୦ ଭୀଷ୍ମ ଟ୍ୟାଙ୍କ୍, ଶରଥ୍ ବିଏମସି-୨ ସ୍ୱତନ୍ତ୍ର ସାଞ୍ଜୁଆ ଯାନ, ବ୍ରହ୍ମୋସ କ୍ରୁଜ୍ କ୍ଷେପଣାସ୍ତ୍ର, ସ୍କିଲକା ଏୟାର ଡିଫେନ୍ସ ସିଷ୍ଟମ ପ୍ରଦର୍ଶିତ ହେବ। ଶେଷରେ ଫ୍ଲାଏପାଷ୍ଟରେ ଅନ୍ୟ ଯୁଦ୍ଧବିମାନ ସହ ଫ୍ରାନ୍ସରୁ କିଣାଯାଇଥିବା ରାଫେଲ ବିମାନ ଆକାଶରେ ତାହାର ଉଡାଣ କୌଶଳ ପ୍ରଦର୍ଶନ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି। ଲଦାଖ ବ୍ୟତୀତ ଉତ୍ତରପ୍ରଦେଶ ପ୍ରଜ୍ଞାପନ ମେଢରେ ଅଯୋଧ୍ୟା ରାମମନ୍ଦିର ସ୍ଥାନ ପାଇଥିବାବେଳେ ପଞ୍ଜାବର ପ୍ରଜ୍ଞାପନ ମେଢରେ ନବମ ଶିଖ୍ ଗୁରୁ ତେଗବାହାଦୂରଙ୍କ ବଳିଦାନ ସମ୍ପର୍କିତ ତଥ୍ୟ, ଉତ୍ତରାଖଣ୍ଡ ମେଢରେ କେଦାରଖଣ୍ଡକୁ ଗୁରୁତ୍ୱ ଦିଆଯାଇଛି। ପରେଡରେ ଅଂଶଗ୍ରହଣ କରୁଥିବା ଯବାନ ମାସ୍କ୍ ପରିଧାନ କରିବା ସହ ସାମାଜିକ ଦୂରତା ମଧ୍ୟ ରକ୍ଷା କରିବେ।