ସୁପ୍ରିମକୋର୍ଟରେ ପରମବୀରଙ୍କ ପିଟିସନ ଖାରଜ; କହିଲେ ପ୍ରଥମେ ହାଇକୋର୍ଟ ଯାଅ

ମୁମ୍ବଇ,ଏଜେନ୍ସି: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ପୂର୍ବତନ ପୁଲିସ କମିଶନର ପରମବୀର ସିଂହଙ୍କ ପିଟିସନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

ସୂଚନା ଅନୁସାରେ ଆଣ୍ଟିଲିଆ ମାମଲାରେ ଗିରଫ ହୋଇଥିବା ମୁମ୍ବଇ ପୁଲିସର ବରିଷ୍ଠ ଅଧିକାରୀ ସଚିନ ୱାଜେଙ୍କୁ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିଲେ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ। ଏହା ପରେ ତାଙ୍କୁ ହୋମଗାର୍ଡ ବିଭାଗକୁ ବଦଳି କରିଦିଆଯାଇଥିଲା। ଏନେଇ ସେ ଗତ ୨୨ ତାରିଖରେ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରି ସମସ୍ତ ଅଭିଯୋଗର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲେ।

ସୁପ୍ରିମକୋର୍ଟ ଶୁଣାଣି ସମୟରେ କହିଛନ୍ତି, ଏହି ଅଭିଯୋଗ ଅତ୍ୟନ୍ତ ଗମ୍ଭୀର। ଏନେଇ ପ୍ରଥମେ ହାଇକୋର୍ଟରେ ପିଟିସନ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ କହିଛନ୍ତି।