ପ୍ରମୋଦ ପାରା ବ୍ୟାଡମିଣ୍ଟନ ଅଫ୍ ଦ ଇୟର

ଭୁବନେଶ୍ବର,ଏନ୍ଏନ୍ଏସ୍: ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ଷ୍ଟାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ଟାଇମ୍ସ ଅଫ୍ ଇଣ୍ଡିଆ (ଟିଓଆଇ) କ୍ରୀଡା ପୁରସ୍କାରରେ ସମ୍ମାନିତ କରାଯାଇଛି । ୨୦୨୧ ସିଜନ ପାଇଁ ପ୍ରମୋଦ ଓ କ୍ରିଷ୍ଣା ନାଗର ‘ପାରା ବ୍ୟାଡମିଣ୍ଟନ ଅଫ୍ ଦ ଇୟର’ ପୁରସ୍କାର ଗ୍ରହଣ କରିଛନ୍ତି ।

ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରମୋଦଙ୍କୁ ଟିଓଆଇ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇଛି । ସେଠାରେ ପ୍ରମୋଦ ପୁରସ୍କାର ଗ୍ରହଣ କରିଥିଲେ । ସେ ପ୍ରଥମ ଭାରତୀୟ ଭାବେ ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ରଚିଥିଲେ । ଏହାସହ ସେ 5ଥର ବିଶ୍ବ ଚାମ୍ପିଅନ ହେବାର ଗୌରବ ଅର୍ଜନ କରିଛନ୍ତି । ଆଗାମୀ ବିଶ୍ବ ଚାମ୍ପିଅନସିପ ପାଇଁ ପ୍ରମୋଦ ଏବେ ବେଙ୍ଗାଲୁରୁରେ ଅଭ୍ୟାସ ଜାରି ରଖିଛନ୍ତି । ବ୍ୟାଡମିଣ୍ଟନରେ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଖେଳ ରତ୍ନ ମଧ୍ୟ ପାଇ ସାରିଛନ୍ତି ପ୍ରମୋଦ ।

ପାରା ବ୍ୟାଡମିଣ୍ଟନ ଅଫ୍ ଦ ଇୟର ପୁରସ୍କାର ପାଇବା ପରେ ସେ ପ୍ରତିକ୍ରିୟାରେ ପ୍ରମୋଦ କହିଛନ୍ତି, ”ଟିଓଆଇ କ୍ରୀଡା ପୁରସ୍କାର ମୋତେ କ୍ରୀଡାରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଉତ୍ସାହିତ କରିବ । ବିଶ୍ବ ଚାମ୍ପିଅନସିପରେ ଦେଶ ପାଇଁ ସ୍ବର୍ଣ୍ଣ ପଦକ ବିଜେତା ଜିତିବାକୁ ଲକ୍ଷ୍ୟ ରଖିଛି । ଏନେଇ କଠିନ ପରିଶ୍ରମ ଜାରି ରଖିଛି ।” ଚଳିତ ବର୍ଷ ପ୍ରମୋଦଙ୍କ ସମେତ ଓଡିଶାର ଦୂତୀ ଚାନ୍ଦ, ପ୍ୟାରୀ ଖାଖା ଏବଂ ଝିଲ୍ଲୀ ଦଳ ବେହେରା ଟିଓଆଇ କ୍ରୀଡା ପୁରସ୍କାର ପାଇଁ ଘୋଷିତ ତାଲିକାରେ ସ୍ଥାନ ପାଇଥିଲେ । ସେଥିମଧ୍ୟରୁ ଓଡିଶାର ପ୍ରମୋଦ ଭଗତଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହ କ୍ରିଷ୍ଣା ନାଗରଙ୍କୁ ମଧ୍ୟ ଟିଓଆଇ କ୍ରୀଡା ପୁରସ୍କାରରେ ସମ୍ମାନିତ କରାଯାଇଛି ।