ରାଜ୍ୟ କ୍ୟାବିନେଟରେ ୯ ପ୍ରସ୍ତାବକୁ ମୋହର, ଫୋକସରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପ

ଭୁବନେଶ୍ବର,ଏନ୍ଏନ୍ଏସ୍: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ ବୈଠକରେ ୯ ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୈଷୟିକ ଶିକ୍ଷା, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଓ ସାଧାରଣ ପ୍ରଶାସନ ବିଭାଗର ୯ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଠିକା ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ ହୋଇଥିବାବେଳେ ଗ୍ରାମ୍ୟ ପାନୀୟ ଜଳ ଯୋଗଣକୁ ସରକାର ଗୁରୁତ୍ୱ ଦେଇଛନ୍ତି ।

କ୍ୟାବିନେଟ ନିଷ୍ପତ୍ତି ନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି ଯେ, ଠିକା ନିଯୁକ୍ତି ଉଚ୍ଛେଦ ନେଇ ସରକାର ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଏହା ସହ ସରକାର ଗ୍ରାମ୍ୟ ଜନସାଧାରଣଙ୍କୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣକୁ ପ୍ରାଥମିକତା ଦେଇଛନ୍ତି । ସେଥିପାଇଁ ୪ ଜିଲ୍ଲାର ୧୧ ବ୍ଲକରେ ପାନୀୟ ଜଳ ଯୋଗାଣ ନେଇ ଟେଣ୍ଡର ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ନୟାଗଡ଼ ଜିଲ୍ଲାର ରଣପୁର ଓ ଓଡ଼ଗାଁ ବ୍ଲକର ୨ଟି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ୩୯୫.୪୩ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାକୁ ଅନୁମୋଦନ କରାଯାଇଛି ।