ନବରଙ୍ଗପୁରରେ କାଗଜ ବିହୀନ ଅଦାଲତକୁ ଉଦଘାଟନ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି

ନବରଙ୍ଗପୁର,ଏନ୍ଏନ୍ଏସ, ନବରଙ୍ଗପୁର ସମେତ ଓଡ଼ିଶାର ୩୦ଟି ଜିଲ୍ଲାରେ କାଗଜ ରହିତ କୋର୍ଟକୁ ଉଚ୍ଚତମ ନ୍ୟାୟାଳୟର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତୀ ଉଦୟ ଉମେଶ ଲଲିତ ଭିଡ଼ିଓ କନଫେରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ନବରଙ୍ଗପୁରର ଏସ୍‌ଡିଜେଏମ୍ କୋର୍ଟକୁ କାଗଜ ରହିତ କୋର୍ଟ ଭାବେ କାର୍ଯ୍ୟକ୍ଷମ କରାଯାଇଛି। ଆଜି ଓଡ଼ିଶା ଜୁଡିସିଆଲ ଏକାଡେମୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ. ଏସ୍ ମୁରଲୀଧର ସ୍ୱାଗତ ଭାଷଣ ଦେଇଥିଲେ। ସୁପ୍ରିମକୋର୍ଟର ବିଚାରପତି ତଥା ଇ-କମିଟି ଅଧ୍ୟକ୍ଷ ଡି. ୱାଇ. ଚନ୍ଦ୍ରଚୁଡ଼, ବିଚାରପତି ଏମ୍ ଆର୍ ସାହା ଓ ଓଡ଼ିଶାର ମୁଖ୍ୟ ଡାକପାଳ ଶୁଭେନ୍ଦୁ କୁମାର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ନବରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଜଜ୍ (ପୋକ୍ସୋ) ପ୍ରଣତି ସାହା, ପରିବାର ଅଦାଲତ ବିଚାରପତି ଡ. ମୁନ୍ ରାଣୀ ମିଶ୍ର, ଅତିରିକ୍ତ ଜିଲ୍ଲା ଜଜ୍ (ଆଡହକ୍) ସଞ୍ଜୟ କୁମାର ସାହୁ, ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ସୁଦାମ ଚରଣ ଦାସ, ରେଜିଷ୍ଟ୍ରାର ସୁକାନ୍ତ କୁମାର ଜେନା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ ଜନକ ରାଉତ, ଏସ୍‌ଡିଜେଏମ୍ ପ୍ରଜ୍ଞା ପଣ୍ଡା, ପ୍ରଥମ ଶ୍ରେଣୀ ବିଚାରପତି ରାଜଶ୍ରୀ ଆର୍ୟବାଳା ତ୍ରିପାଠୀ, ଆଇନଜୀବୀ ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର, ଆଇନଜୀବୀ ମୀନାକ୍ଷୀ ପାଢ଼ୀ, ରାଜ କିଶୋର ନାଗ, ସତୀଶ ନାୟକ, ଶ୍ୟାମ ପ୍ରସାଦ ମାଝୀ, ସୁରଜ ନାୟକ, କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।

କାଗଜ ରହିତ କୋର୍ଟ ଦ୍ୱାରା ଦୂରଦୂରାନ୍ତ ନିମ୍ନ କୋର୍ଟରୁ ଆସୁଥିବା ବିଭିନ୍ନ ମାମଲାର ନଥିପତ୍ର ଉପର କୋର୍ଟରେ ଯଥାଶୀଘ୍ର ପହଞ୍ଚିଯିବ। କୋର୍ଟରେ ଗଚ୍ଛିତ ରଖାଯାଉଥିବା ନଥିପତ୍ର ନଷ୍ଟ ହେବାରେ ଆଶଙ୍କା ରହିବ ନାହିଁ। ଏଥିସହ ପର୍ଯ୍ୟାବରଣ ସୁରକ୍ଷା ପାଇଁ ଅନେକ ସହାୟ ହେବବୋଲି ବକ୍ତାମାନେ କହିଥିଲେ। ଶେଷରେ ଓଡିଶା ହାଇକୋର୍ଟର ବିଚାରପତି ଏସ୍ ତାଳପତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।