ଦେବଗଡ଼,ଏନ୍ଏନ୍ଏସ୍: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପକ୍ଷରୁ ଅବାଧ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାର ପ୍ରବେଶ ସୀମା ଓ ଉପାନ୍ତ ଅଞ୍ଚଳରେ ଯାଞ୍ଚକୁ କଡାକଡ଼ି କରାଯାଇଥିବା ବେଳେ ଉତ୍ତେଜନା ପ୍ରବଣ ଅଞ୍ଚଳରେ ବିଭିନ୍ନ ଥାନା ପୁଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଦେବଗଡ଼ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପୁଲିସ ବଳ ତିଳେଇବଣି ବ୍ଲକ ଆନ୍ତର୍ଗତ ଝରାଗୋଗୁଆ, ଗଣ୍ଡମ, ପାରପୋଷି, ଡ଼ିମିରିକୁଦା ଓ ଝାରମୁଣ୍ଡା ଆଦି ଅଞ୍ଚଳରେ ଫ୍ଲାଗ ମାର୍ଚ୍ଚ କରିଥିଲେ।
ଉପରୋକ୍ତ ୫ଟି ପଞ୍ଚାୟତର ଜନସାଧାରଣ ଟେଲିଫୋନ ଟାୱାର ସ୍ଥାପନ ଦାବିରେ ପ୍ରଥମେ ନାମାଙ୍କନ ପତ୍ର ଦାଖଲ ନକରି ନବନିର୍ବାଚନ ବର୍ଜନ ପାଇଁ ଅଡ଼ି ବସିଥିବା ବେଳେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଉପରୋକ୍ତ ଅଞ୍ଚଳରେ ଟେଲିଫୋନ ଟାୱାର ସ୍ଥାପନ ପାଇଁ ଭୂମିପୂଜା କରିବା ପରେ ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନେଇ ପରେ ନିର୍ବାଚନରେ ଅଂଶ ଗ୍ରହଣ ପାଇଁ ରାଜି ହୋଇ ନାମାଙ୍କନ ଦାଖଲ କରିଥିଲେ।