ପାକିସ୍ତାନର ଜଣେ ମହିଳା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା

ଇସଲାମାବାଦ,ଏଜେନ୍ସି: ପାକିସ୍ତାନର ଜଣେ ୨୭ ବର୍ଷିୟ ମହିଳା ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଶାହିନ୍ ବାଲୋଚ ନାମକ ଏହି ସାମ୍ବାଦିକା ଏକ ସରକାରୀ ଟିଭି ଚ୍ୟାନେଲରେ ଆଙ୍କର୍ ଏବଂ ସାମ୍ବାଦିକ ଥିଲେ। ତାଙ୍କୁ କିଛି ଦିନ ପୂର୍ବରୁ ବାଲୁଚିସ୍ତାନର ତୁର୍ବାଟକୁ ବଦଳି କରାଯାଇଥିଲା। ତେବେ ଏହି ହତ୍ୟାକାଣ୍ଡରେ ସାମ୍ବାଦିକଙ୍କ ସ୍ୱାମୀ ମଧ୍ୟ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି।

ଶାହିନ୍ ପୂର୍ବରୁ ଇସଲାମାବାଦରେ ଏକ ଘରୋଇ ଟିଭି ଚ୍ୟାନେଲରେ କାମ କରୁଥିଲେ। ଏହା ପରେ ତାଙ୍କୁ ସରକାରୀ ଟିଭି ଚ୍ୟାନେଲରେ ନିଯୁକ୍ତି ମିଳିଥିଲା। ଇସଲାମାବାଦରେ କିଛି ମାସ ରହିବା ପରେ ଶାହିନଙ୍କୁ ବାଲୁଚିସ୍ତାନକୁବଦଳି କରାଯାଇଥିଲା। ସେ ଏକ ସ୍ଥାନୀୟ ପତ୍ରିକାର ସମ୍ପାଦକ ମଧ୍ୟ ଥିଲେ।

ପୁଲିସ ସୂଚନା ଅନୁସାରେ ଦୁଇ ଜଣ ଆକ୍ରମଣକାରୀ ଶାହିନଙ୍କ ଘରକୁ ଯାଇ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ପରେ ଜଣେ ଅଜ୍ଞାତ ବ୍ୟକ୍ତି ଶାହିନଙ୍କୁ ଡାକ୍ତରଖାନା ନେଇ ସେଠାରେ କାର ଛାଡ଼ି ଫେରାର ହୋଇଯାଇଥିଲେ। ଶାହିନଙ୍କ ଉପରକୁ ପାଞ୍ଚଟି ଗୁଳି ଚଳାଯାଇଥିବା ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି। ଶାହିନଙ୍କ ପରିବାରର କିଛି ଲୋକଙ୍କ ବିରୋଧରେ ମାମଲା ଦାୟର କରାଯାଇଥିବା ବେଳେ ଏଥିରେ ଶାହିନଙ୍କ ସ୍ୱାମୀଙ୍କ ନାମ ଅନ୍ତର୍ଭୁକ୍ତ ରହିଛି।