ଭୂମିକମ୍ପରେ ଥରିଲା ପାକିସ୍ତାନ, ୧୫ ମୃତ

ଲାହୋର,ଏଜେନ୍ସି: ପାକିସ୍ତାନରେ ଗୁରୁବାର ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି। ଏଥିରେ ଅତି କମରେ ପ୍ରାୟ ୧୫ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ସମ୍ଭାବନା ରହିଛି। ଏହାସହ ଶତାଧିକ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ସୂଚନାନୁସାରେ, ଗୁରୁବାର ସକାଳ ପ୍ରାୟ ସାଢେ ୩ ଟାରେ ଭୂକମ୍ପର ଝଟକା ଲାଗିଥିଲା। ପାକିସ୍ତାନର ହରନେଇ ଅଞ୍ଚଳ ଭୂମିକମ୍ପ ଝଟକାରେ ଥରିଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ହେଉଛି ୬.୦। ଏଥିରେ ଅନେକ ମାତ୍ରାରେ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି।

ଭୂମିକମ୍ପ ପରେ ଲୋକମାନେ ଭୟରେ ଘରୁ ବାହାରି ଯାଇଥିଲେ। ତେବେ ସମସ୍ତେ ଶୋଇଥିବା ବେଳେ ଭୂମିକମ୍ପ ହୋଇଥିବା କାରଣରୁ ମୃତକଙ୍କ ସଂଖ୍ୟା ବଢିଛି। ଅନେକ ବଡବଡ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଭୂମିକମ୍ପ ପରେ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଲୋକମାନେ ରାସ୍ତାରେ ଭୟରେ ବସି ରହିଥିବା ଚିତ୍ର ସାମ୍ନାକୁ ଆସିଛି। ତେବେ ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।